୧୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ପୋତି ଦେଲା ନିର୍ଦ୍ଦୟୀ ମଣିଷ

ସଂସ୍କାର : କର୍ଣ୍ଣାଟକର ଶିବାମୋଗାରେ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଛି ମାନବ ସମାଜ। କଥା କହି ପାରୁନଥିବା ବୁଲା କୁକୁରଙ୍କୁ ବିଷ ଦେଇ ମାରି ଦେଇଛନ୍ତି ଏଠାକାର ଲୋକେ। ପାଖାପାଖି ୧୦୦ ଟି ବୁଲା କୁକୁରକୁ ଏମିତି ମରଣ ଦେଇଛନ୍ତି ସ୍ଥାନୀୟ ଲୋକେ। ନିର୍ଦ୍ଦୟୀ, ନିଷ୍ଠୁର, ଅମାନୁଷିକ ଭାବରେ ଏହି କାମ କରିଛନ୍ତି କର୍ଣ୍ଣାଟକର ଶିବାମୋଗାର ବାସିନ୍ଦା। ମୁହଁ ଖୋଲି ପ୍ରତିବାଦ କରି ପାରୁନଥିବାରୁ ବୁଲା କୁକୁରଙ୍କୁ ଅମାନୁଷିକ ଭାବରେ ମାରି ପୋତି ଦେଇଛନ୍ତି ସ୍ଥାନୀୟ ଲୋକେ। ଏହି ଘଟଣା ବର୍ତ୍ତମାନ ସଭ୍ୟ ସମାଜର ମୁଣ୍ଡକୁ ମଧ୍ୟ ତଳକୁ ନୁଆଁଇବାକୁ ବାଧ୍ୟ କରିଛି।

ମିଳିଥିବା ସୂଚନା ମୁତାବକ, କମ୍ବାଦାଲୁ-ହୋସୁର ଗ୍ରାମ ପଞ୍ଚାୟତରେ ଏଭଳି ଘଟଣା ଘଟିଛି । ଗ୍ରାମପଞ୍ଚାୟତର ନିର୍ଦ୍ଦେଶକ୍ରମେ ୧୦୦ ଟି ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ପ୍ରାଥମିକ ତଦନ୍ତ ପରେ ସ୍ପଷ୍ଟ ହୋଇଛି । ୧୦୦ କୁକୁରଙ୍କ ଜୀବନ ନେବା ସହ ଏମାନଙ୍କୁ ମାଟି ତଳେ ପୋତି ଦିଆଯାଇଥିଲା । ଆଉ ଏହାର ଟେର ମଧ୍ୟ କେହି ମଧ୍ୟ ପାଇନଥିଲେ । ତେବେ ପଶୁପକ୍ଷୀଙ୍କୁ ଉଦ୍ଧାର କରୁଥିବା କ୍ଲବର ସଦସ୍ୟ କୌଣସି ସୂତ୍ରରୁ ଖବର ପାଇବା ପରେ ଏଠାରେ ପହଞ୍ଚିଥିଲେ । ଆଉ ମାଟି ଖୋଳିବା ପରେ ଯାହା ଦେଖିଥିଲେ ତାହା ଥିଲା ବେଶ ଯନ୍ତ୍ରଣାଦାୟକ । କାରଣ ମାଟିତଳେ ମରି ପଡିଥିଲେ ଶହେରୁ ଅଧିକ ବୁଲା କୁକୁର।

ଏପରିକି ଏହି ବୁଲା କୁକୁରଙ୍କୁ ବିଷ ଦିଆଯିବା ପରେ ଜିଅନ୍ତା ଅବସ୍ଥାରେ ପୋତି ଦିଆଯାଇଥିବା ସନ୍ଦେହ କରୁଛନ୍ତି କ୍ଲବର ସଦସ୍ଯ। ତେବେ ଏଭଳି ଜଘନ୍ୟ କାଣ୍ଡ ପାଇଁ ପଞ୍ଚାୟତର ଅଧିକାରୀଙ୍କ ଉପରେ ମାମଲା ରୁଜୁ କରାଯାଇଛି । ପଶୁ ଡାକ୍ତରଙ୍କର ଏକ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ଶିବମୋଗା ଏସପି କହିଛନ୍ତି, ଗ୍ରାମପଞ୍ଚାୟତର ଅଧିକାରୀଙ୍କ କହିବା ଅନୁଯାୟୀ, ବୁଲା କୁକୁରଙ୍କୁ ପ୍ରଥମେ ବିଷ ଦିଆଯାଇ ହତ୍ୟା କରିବା ପରେ ମାଟି ତଳେ ପୋତି ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ୧୫୦ ଟି ମାଙ୍କଡ଼ ମାରିବାର କିଛି ସପ୍ତାହ ପରେ ଏହି ଘଟଣା ଘଟାଯାଇଛି। କୁକୁରମାନଙ୍କୁ ବିଷ ଦେଇ ମାରିବା ଘଟଣା ଭଦ୍ରାବତୀ ତାଲୁକର କାମ୍ବାଡାଲୁ-ହୋସୁର ଗ୍ରାମ ପଞ୍ଚାୟତର ଅଟେ। ଗ୍ରାମବାସୀଙ୍କଠାରୁ ସୂଚନା ପାଇବା ପରେ ଶିବାମୋଗା ପ୍ରାଣୀ ଉଦ୍ଧାର କ୍ଲବର ସଦସ୍ୟମାନେ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ପ୍ରାଣୀ ଚିକିତ୍ସକ ଏବଂ ପୋଲିସର ସହାୟତାରେ କୁକୁରମାନଙ୍କର ମୃତଦେହକୁ ବାହାରକୁ ଅଣାଯାଇଥିଲା। ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ କେବଳ ଗ୍ରାମପଞ୍ଚାୟତର ନିର୍ଦ୍ଦେଶରେ କୁକୁରମାନଙ୍କୁ ବିଷ ଦିଆଯାଇଥିଲା। ତେଣୁ ପୋଲିସ୍ ବର୍ତ୍ତମାନ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ କରୁଛି।

Leave a Reply

Your email address will not be published. Required fields are marked *