ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ପାଲଘରର ଏକ କୋଭିଡ଼ ହସ୍ପିଟାଲରେ ଘଟିଛି ଦୁର୍ଘଟଣା । ରାତି ପ୍ରାୟ ସାଢେ ୩ ଟା ବେଳେ ବିଜୟ ବଲ୍ଲଭ କୋଭିଡ଼ କେୟାର ହସ୍ପିଟାଲର ଆଇସିୟୁ ୱାର୍ଡରେ ଘଟିଛି ଅଗ୍ନିକାଣ୍ଡ । ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ଡ ଦୁର୍ଘଟଣାରେ ୧୩ ଜଣ ରୋଗୀ ପ୍ରାଣ ହରାଇଥିବା ଜଣାପଡ଼ିଛି । ତେବେ ଖବର ପାଇ ଅଗ୍ନିଶମ ବାହିନୀ ବ୍ୟତୀତ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ।
ନିକଟରେ ନାସିକରେ ଅକ୍ସିଜେନ ଲିକ୍ କାରଣରୁ ୨୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ଘଟଣାକୁ ୪୮ ଘଣ୍ଟା ନବିତୁଣୁ ମହାରାଷ୍ଟ୍ରର ପାଲଘରରେ ଘଟିଗଲା ଆଉ ଏକ ଦୁର୍ଘଟଣା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ରୋଗୀଙ୍କ ପରିଜନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।
ଅନ୍ୟପକ୍ଷରେ ପାଲଘର ଜିଲ୍ଲାର ଭାସାଇ ଭିରାର ପୌରପରିଷଦ ଅନ୍ତର୍ଗତ ବିଜୟ ବଲ୍ଲଭ କୋଭିଡ଼ କେୟାର ହସ୍ପିଟାଲର ଆଇସିୟୁ ୱାର୍ଡରେ ଘଟିଥିବା ଅଗ୍ନିକାଣ୍ଡରେ ନିଆଁକୁ ଆୟତ୍ତ କରାଯାଇଛି ସତ, ହେଲେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ । ସେପଟେ ଉଦ୍ଧାର ହୋଇଥିବା ଅନେକ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ବି ସଙ୍କଟାପନ୍ନ, ଫଳରେ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ବି ରହିଛି ।
ସୂଚନାଥାଉ ଯେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୭୦୧୩ ଟି କୋରୋନାର ନୂଆ ମାମଲା ପଞ୍ଜିକୃତ ହୋଇଥିବାବେଳେ ୫୬୮ ରୋଗୀଙ୍କ ମୃତ୍ୟୁ ଘଟିଛି । ତେଣୁ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟରେ ଆଶିଂକ ଲକଡାଉନ କରାଯାଇଛି । ଏହାସହିତ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି ।