ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ : ୧୪ ଦିନ ଯାଏଁ ଏହିସବୁ ସହର ହେବ ସମ୍ପୂର୍ଣ୍ଣ ଲକଡାଉନ

ANI ନ୍ୟୁଜ ଏଜେନ୍ସି ଟ୍ଵିଟରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାରେ ଦୈନଦିନ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଯାଇ ଓଡ଼ିଶା ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ସମେତ ରାଉରକେଲାରେ ସମ୍ପୂର୍ଣ୍ଣ ଲକଡାଉନ ହେବ । ୧୪ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି ।

ଆସନ୍ତାକାଲି ଜୁଲାଇ ୧୭ ତାରିଖ ରାତି ୯ ଟାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ କଡ଼ାକଡ଼ି ଭାବରେ ପାଳନ କରାଯିବ । ତେବେ ସାମଗ୍ରୀ ପରିବହନ ଓ ଆର୍ଥିକ ଗତିବିଧି ସମେତ ଅତ୍ୟାବଶ୍ୟକ ସେବାକୁ ଏହି ଲକଡାଉନ କଟକଣାରୁ ବାଦ୍ ଦିଆଯାଇଛି । କିନ୍ତୁ ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଓ ଅନୁଷ୍ଠାନ ସମେତ ଲୋକମାନଙ୍କ ଯାତାୟତ ମଧ୍ୟ ବନ୍ଦ ରହିବ ।

ଏହି ଲକଡାଉନ ସମୟରେ କିନ୍ତୁ ସକାଳ ୬ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପନିପରିବା, ଗ୍ରୋସୋରୀ ଓ କ୍ଷୀର ଦୋକାନ ଖୋଲା ରହିବ । ଏମିତିକି ହୋମ୍ ଡେଲିଭରି ସେବା ଜାରି ରହିବ । ସାମଗ୍ରୀ ପରିବହନ ପାଇଁ ମଧ୍ୟ ରୋକ୍ ନାହିଁ । ଏହାଛଡ଼ା ସମସ୍ତ ଶିଳ୍ପ ପ୍ରତିଷ୍ଠାନ, କାରଖାନା, ନିର୍ମାଣ ଗତିବିଧି, ସର୍ବନିମ୍ନ କର୍ମଚାରୀରେ ଆଇଟି ଅଫିସ ଓ ହୋଟେଲ, ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ, ଏମିତିକି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିରେ ବିବାହ ଓ ଅନ୍ତେଷ୍ଟି କ୍ରିୟା ମଧ୍ୟ ଅନୁମତି ନେଇ କରିହେବ । କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁପାଳନ ଆଦି କାର୍ଯ୍ୟ ପାଇଁ ମଧ୍ୟ ଅନୁମତି ମିଳିବ ।

ଲକଡାଉନର ଏହି ୧୪ ଦିନ ଭିତରେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଓ କଟକ ସହରକୁ ଆସିବା ମନା ଯେଉଁଥିପାଇଁ ଆସନ୍ତାକାଲି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ତେବେ ଜରୁରୀକାଳୀନ ସେବା ଯୋଗାଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ୍ , ମେଡ଼ିସିନ ଷ୍ଟୋର, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟୁତ ଓ ଜଳ ଯୋଗାଣ ଭଳି ଜରୁରୀ ସେବା,ଇ-କମର୍ସ, ହୋମ୍ ଡେଲିଭରି, ଏଲପିଜି ଓ ପେଟ୍ରୋଲ ପମ୍ପକୁ ଏହି ଲକଡାଉନରୁ ବାଦ୍ ଦିଆଯାଇଛି ।

ସୂଚନା ଅନୁଯାୟୀ ବିମାନବନ୍ଦର, ରେଳଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବାଆଣିବା ପାଇଁ ସାର୍ବଜନୀନ ପରିବହନ, ଘରୋଇ ଗାଡ଼ି ଓ ଟ୍ୟାକ୍ସକୁ ଅନୁମତି ମିଳିବା ସହିତ ରାଜପଥରେ ମାଲବାହୀ ଗାଡ଼ି, ଓଲା ଓ ଉବେର ଯାତାୟତ କରିପାରିବେ । ଏହାବ୍ୟତୀତ ଜିଲ୍ଲାପାଳ ଚାହିଁଲେ ନିଜସ୍ୱ କଟକଣା ମଧ୍ୟ ଜାରି କରିପାରିବେ । କେହି କଟକଣା ନିୟମ ଉଲ୍ଳଘଂନ କଲେ ସେମାନଙ୍କ ବିରୋଧରେ ମହାମାରୀ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *