ପଦ୍ମ ଘୁଞ୍ଚିଲା ଭଳି ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟିଏ ଜାଗାରୁ ଗୋଟିଏ ଦିନରେ ୧୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଜି ଗୋଟିଏ ଦିନରେ ପୁଣି ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେଠାରେ । ସକାଳେ ୩ ଜଣ ଚିହ୍ନଟ ହୋଇଥିବା ଖବର ଆସିଥିବା ବେଳେ ଅପରାହ୍ନରେ ଆଉ ୧୪ ଜଣ ଚିହ୍ନଟ ହେବା ରେକର୍ଡ ସୃଷ୍ଟି କରିଛି ।

ଯାଜପୁରରେ ଚିହ୍ନଟ ସବୁ ପଜିଟିଭ ଆକ୍ରାନ୍ତ କୋଲକାତା ଲିଙ୍କ ବୋଲି ଜଣାପଡ଼ିଛି । ଏମିତିକି ସମସ୍ତ ୧୭ ଜଣ ଯାକ ଯାଜପୁରର କଟିକଟା ଅଞ୍ଚଳର ବୋଲି ବି ଜଣାପଡ଼ିଛି । ପୂର୍ବରୁ ସେହି ସମାନ ସ୍ଥାନରୁ ୬ ଜଣ ପଜିଟିଭ ଚିହ୍ନଟ ହେଇଥିଲେ ଓ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ବୋଲି ଘୋଷଣା କରାଯାଇଥିଲା ।

ଆଜି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୬ରେ ପହଞ୍ଚିଲା । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଯାଜପୁରରେ ରାଜ୍ୟର ସବୁଠୁ ଅଧିକ ୩୫ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସେହିପରି ଭୁବନେଶ୍ୱରରେ ଆଜି ସୁଦ୍ଧା ଦ୍ୱିତୀୟ ସର୍ବାଧିକ ୧୯ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୪୨ରେ ପହଞ୍ଚିଛି । ଏହାସହିତ ୩୯ ଜଣ ସୁସ୍ଥ ମଧ୍ୟ ହେଲେଣି । ରାଜ୍ୟରେ ମୃତକ କିନ୍ତୁ ଏ ଯାଏଁ ଜଣେ । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ସର୍ବାଧିକ ୨୫୮୮ଟି ସାମ୍ପଲ୍ ଟେଷ୍ଟ ହୋଇଥିଲା ।

Leave a Reply

Your email address will not be published. Required fields are marked *