କୋଭିଡ଼ରେ ପ୍ରାଣ ହରାଇଥିବା ୮ ଜଣ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ଗୋଟିଏ ଜୁଇରେ ହେଲା : ଜାଣନ୍ତୁ ଏହା ପଛର କାରଣ …

ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ କୋଭିଡ଼-୧୯ରୁ ପ୍ରାଣ ହରାଇଥିବା ୮ ଜଣଙ୍କୁ ଗୋଟିଏ ଜୁଇରେ ଜଳେଇ ଦିଆଯାଇଛି । ଏନେଇ ବୁଧବାର ଦିନ ଜଣେ ଅଧିକାରୀ କହିଛନ୍ତି ଯେ ଏକ ଅସ୍ଥାୟୀ ଶ୍ମଶାନରେ ସ୍ଥାନ ଅଭାବରୁ ଏମିତି କରାଯାଇଛି । ସେ କହିଛନ୍ତି ଯେ ଅମ୍ବାଜୋଗଇ ନଗରରେ ଶବଦାହ ଗୃହ ସହିତ ସମ୍ପୃକ୍ତ ଲୋକଙ୍କ ଶବଦାହକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ତେଣୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଶବଦାହ ଗୃହ ପାଇଁ ଅନ୍ୟ ଏକ ସ୍ଥାନ ଖୋଜିବାକୁ ପଡୁଥିଲା, ଯେଉଁଠି ସ୍ଥାନ କମ ଥିଲା । ଅମ୍ବାଜୋଗଇ ମ୍ୟୁନିସିପାଲିଟି ପରିଷଦ ମୁଖ୍ୟ ଅଶୋକ ସାବଲେ କହିଛନ୍ତି ଯେ ଆମ ପାଖରେ ଥିବା ଶବଦାହ ଗୃହରେ ମୃତଦେହକୁ ଶବଦାହ କରିବାକୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ । ତେଣୁ ସହରଠାରୁ ଦୁଇ କିଲୋମିଟର ଦୂରରେ ଥିବା ମାଣ୍ଡୱା ରାସ୍ତାରେ ଆମକୁ ଆଉ ଏକ ସ୍ଥାନ ଖୋଜିବାକୁ ପଡ଼ିଲା ।

ସେ କହିଛନ୍ତି ଯେ ଏହି ନୂତନ ଅସ୍ଥାୟୀ ଅନ୍ତିମ ସଂସ୍କାର ଗୃହରେ ସ୍ଥାନ ଅଭାବ ରହିଛି । ଅଧିକାରୀ କହିଛନ୍ତି ଯେ ତେଣୁ ମଙ୍ଗଳବାର ଦିନ ଆମେ ଏକ ବଡ଼ ଜୁଇ ତିଆରି କଲୁ ଏବଂ ୮ ଟି ଯାକ ମୃତଦେହକୁ ପୋଡ଼ି ଦେଇଛୁ । ତେବେ ମୃତଦେହ ପରସ୍ପରଠାରୁ ଏକ ନିର୍ଦ୍ଦିଷ୍ଟ ଦୂରରେ ରଖାଯାଇଥିଲା ।

ସୂଚନାଥାଉ ଯେ ବିଡ୍ ଜିଲ୍ଲାରେ ମଙ୍ଗଳବାର ଦିନ ୭୧୬ ଟି ନୂତନ କରୋନା ମାମଲା ରିପୋର୍ଟ ହୋଇଥିଲା ବେଳେ ଏପର୍ଯ୍ୟନ୍ତ ମୋଟ କରୋନା ମାମଲା ୨୮,୪୯୧ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା କରୋନାରେ ଜିଲ୍ଲାରେ ୬୭୨ ଜଣଙ୍କର ମୃତ୍ୟୁ ଘଟିଛି । ମ୍ୟୁନିସିପାଲିଟି ପରିଷଦ ମୁଖ୍ୟ କହିଛନ୍ତି ଯେ କରୋନା ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ଏହି କାରଣରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ମଧ୍ୟ କରାଯାଉଛି । ତେଣୁ ଅସ୍ଥାୟୀ ଶ୍ମଶାନକୁ ବିସ୍ତାର କରିବା ଏବଂ ମୌସୁମୀ ଆରମ୍ଭ ପୂର୍ବରୁ ଏହାକୁ ୱାଟର ପ୍ରୁଫ୍ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି ।

Leave a Reply

Your email address will not be published. Required fields are marked *