କାବୁଲର ବିମାନବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ : ୧୦୩କୁ ବଢ଼ିଲା ମୃତକଙ୍କ ସଂଖ୍ୟା

ସଂସ୍କାର : ଆଫଗାନିସ୍ତାନର ରାଜଧାନୀ କାବୁଲର ହମିଦ କାରଜାଇ ଆନ୍ତର୍ଜାତିକ ବିମାନବନ୍ଦରର ବାହାରେ ଗୁରୁବାର ସନ୍ଧ୍ୟାରେ ଦୁଇଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ହେବା କାରଣରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସେମାନଙ୍କୁ କାବୁଲସ୍ଥିତ ଜରୁରୀକାଳୀନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୧୦ ଆମେରିକୀୟ ସୈନ୍ୟ ମଧ୍ୟ ଅଛନ୍ତି। ସେହିପରି ଶତାଧିକ ଆହତଙ୍କ ମଧ୍ୟରେ ଆମେରିକା ଓ ଏହାର ମିତ୍ରସେନା ସୈନ୍ୟ ଥିବା ମାର୍କିନ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିସ୍ଫୋରଣ ପାଇଁ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଛି।

ଅପରପକ୍ଷେ ତାଲିବାନ ଆତଙ୍କବାଦୀମାନେ ଦେଶର ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କାରଜାଇ ଓ ବରିଷ୍ଠ ରାଜନୀତିଜ୍ଞ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲାଙ୍କୁ ନଜରବନ୍ଦୀ ରଖିଥିବା ଜଣାପଡ଼ିଛି। ବିସ୍ଫୋରଣ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଜରୁରୀ ବୈଠକ ଡାକିଛନ୍ତି। ଏହି ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୃତାହତ ସଂକ୍ରାନ୍ତରେ କିଛି ଜଣାପଡ଼ି ନାହିଁ। ପରିସ୍ଥିତି ଉପରେ ଭାରତ ନଜର ରଖିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


ବିମାନବନ୍ଦରର ଆବେ ଗେଟ୍ (ଫାଟକ) ନିକଟରେ ଦୁଇଟି ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ପ୍ରଥମ ବିସ୍ଫୋରଣଟି ଆବେ ଗେଟ୍‌ରେ ହୋଇଥିବାବେଳେ ଦ୍ବିତୀୟ ବିସ୍ଫୋରଣଟି ଏହା ଠାରୁ କିଛି ଦୂର ବରୁଣ ହୋଟେଲରେ ହୋଇଛି। ଏହି ହୋଟେଲ ପାଖରେ ଜଣେ ଆତଙ୍କବାଦୀ ନିଜକୁ ବୋମାରେ ଉଡ଼ାଇ ଦେଇଥିଲା। ଳ ପଶ୍ଚିମୀ ଦେଶମାନେ ଆଫଗାନିସ୍ତାନର ଶରଣାର୍ଥୀଙ୍କୁ ନିଜ ଦେଶକୁ ବିମାନଯୋଗେ ନେଇ ଯାଉଥିବାରୁ ଆତଙ୍କବାଦୀମାନେ ଏପରି ବିସ୍ଫୋରଣ ଘଟାଇଥିବା କୁହାଯାଉଛି। ଏହି ବିସ୍ଫୋରଣ ମାଧ୍ୟମରେ ଅଧିକ ସଂଖ୍ୟାରେ ବିଦେଶୀ ସୈନ୍ୟଙ୍କୁ ହତ୍ୟା କରିବା ସହ ଆମେରିକା ଓ ବ୍ରିଟେନ ପରି ଶକ୍ତିଶଳୀ ରାଷ୍ଟ୍ରକୁ ଚେତାବନୀ ଦେବା ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଆଗକୁ ଆହୁରି ଆକ୍ରମଣ ଆଶଙ୍କାରେ କାବୁଲରେ ଥିବା ଆମେରିକା ଓ ଫ୍ରାନ୍ସର ରାଷ୍ଟ୍ରଦୂତ ଖୁବ୍‌ ଶୀଘ୍ର ଆଫଗାନିସ୍ତାନ ଛାଡ଼ିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *