ଶିଶୁ ନିର୍ଯ୍ୟାତନାର ସବୁ ସୀମାକୁ ଟପିଗଲା ଏ ଘଟଣା : ୩ ଜଣ ଶିଶୁକୁ ନିର୍ଧୁମ ବାଡ଼େଇଲା ପରେ ନିର୍ବସ୍ତ୍ର କରି …

ମୁଜାଫରପୁରରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣା ଦର୍ଶାଉଛି ଯେ ମଣିଷ ଅମାନବିକତାର କେତେ ନିମ୍ନ ସ୍ତରରେ । ଘଟଣାଟି ଏହିପରି । ସୋହେବଗଞ୍ଜ ଥାନା ଅନ୍ତର୍ଗତ ହୁସେପୁର ଗାଁର କିଛି ଲୋକ ମିଶି ୧୨-୧୩ ବର୍ଷର ୩ ଜଣ ଶିଶୁଙ୍କୁ ଖୁଣ୍ଟରେ ବାନ୍ଧି ପିଟିଛନ୍ତି ନିର୍ଧୁମ । କେବଳ ସେତିକିରେ ସରିନି, ତାପରେ ସେମାନଙ୍କ ଦେହର ଅନେକ ଅଙ୍ଗରେ  ମହମବତୀରେ ଚେଙ୍କ ଦେଇଛନ୍ତି । ପୀଡ଼ିତ ଶିଶୁମାନେ ଟଙ୍କା ଚୋରି କରିଥିବା ଅଭିଯୋଗରେ ଏଭଳି ଅମାନବୀୟ ଘଟଣା ଘଟାଇଥିଲେ ଗାଁର କିଛି ଲୋକ ।

ଚୋରି ଅଭିଯୋଗରେ ପ୍ରଥମେ ସେ ୩ ଜଣ ଶିଶୁଙ୍କୁ ପାଖାପାଖି ଘଣ୍ଟେ ପର୍ଯ୍ୟନ୍ତ ନିର୍ଯ୍ୟାତନା ଦିଆଯାଇଥିଲା । ବିକଳରେ ସେମାନେ କାନ୍ଦୁଥିଲେ ଓ ଛାଡ଼ି ଦିଅ ବୋଲି ଆତୁର ଅନୁରୋଧ କରିଥିଲେ ହେଁ କେହିଜଣେ ହେଲେ ମଣିଷପଣିଆ ଦେଖେଇ ସେମାନଙ୍କୁ ଉଦ୍ଧାର କରିନଥିଲେ । ଓଲଟି ଲୋକେ ଘଟଣାଟିର ଭିଡ଼ିଓ ସୁଟରେ ମାତି ଥିଲେ ଯେଉଁ ଭିଡ଼ିଓ ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ।

ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବାପରେ ଯାଇ ପୋଲିସର ନିଦ ଭାଙ୍ଗିଲା । ସେତେବେଳକୁ ଗୋଟିଏ ଶିଶୁର ବାପା ସାହସ ଯୁଟାଇ ସାହେବଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି ଯେତେବେଳେ କି ଆଉ ଦୁଇ ଜଣଙ୍କ ବାପା ସାହସ କୁଳେଇ ପାରିନାହାନ୍ତି ଏଯାବତ୍ । ସୂଚନା ଅନୁଯାୟୀ ଘଟଣାଟି ଘଟିଥିଲା ଜୁଲାଇ ୫ ତାରିଖ ଦିନ । ଥାନାରେ ଅଭିଯୋଗ ପରେ କିନ୍ତୁ ଅଭିଯୁକ୍ତମାନେ ଫେରାର ।

ତଥାପି ଫେରାର ହୋଇଥିବା ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଛି । ସାହିବଗଞ୍ଜ ହାସେପୁର ନୂଆ ଟୋଲାର ୩ ଜଣ ଶିଶୁଙ୍କୁ ସେହି ଗାଁର ପ୍ରଦୀପ ରାୟ, ସୂଦୀପ ରାୟ, ରାମରାଜ ରାୟ, ଛୋଟେଲାଲ ରାୟ, ସନ୍ତୋଷ ରାୟ, କୈଳାସ ରାୟ ମିଶି ଏକ କୁଡ଼ିଆ ଭିତରେ ଖୁଣ୍ଟରେ ବାନ୍ଧି ଦେଇଥିଲେ । ତାପରେ ପ୍ରଦୀପ ରାୟ ବାରମ୍ବାର ଟଙ୍କା ଚୋରି ଆରୋପ ଲଗାଇ ସେମାନଙ୍କୁ ମାଡ଼ ମାରୁଥିଲା । ଭିଡ଼ ତ ଜମିଲା ମାତ୍ର ସେ ଭିଡ଼ରେ କେହିଜଣେ ମଣିଷ ନଥିଲେ ।

ଭାଇରାଲ ହୋଇଥିବା ଭିଡ଼ିଓରେ ସ୍ପଷ୍ଟ ଦିଶୁଚି କିପରି ଅମାନବିକ ହେଇ ଶିଶୁଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଶିଶୁଙ୍କ ବିକଳ କାନ୍ଦ, ମହମବତୀରେ ସେମାନଙ୍କ ପିଠିରେ ନିଆଁ ଲଗାଇବା, ପ୍ୟାଣ୍ଟ ଖୋଲି ସେମାନଙ୍କ ମୂତ୍ରାଶୟକୁ ମହମବତୀରେ  ବାରମ୍ବାର ଚେଙ୍କ ଦେବା ଇତ୍ୟାଦି ଅଭିଯୁକ୍ତଙ୍କୁ ଅମଣିଷ ତଳକୁ ଖସି ଯିବା ପ୍ରମାଣ ଦେଉଛି । ବର୍ବରତାର ଏ ଖେଳ ପ୍ରାୟ ଘଣ୍ଟେ ଚାଲିଲା, ପରେ ପୀଡ଼ିତ ଶିଶୁଙ୍କ ଠାରୁ କିଛି ନବାହାରିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *