ସଂସ୍କାର : ଯଦି କୌଣସି ଘରେ ପୁଅଟିଏ ଜନ୍ମନିଏ ତେବେ, ବାପା ମାଆମାନେ ଭାବନ୍ତି ଯେ, ଯାହା ହେଉ ଆମ କୁଳ ଏଥର ଉଜ୍ଜ୍ୱଳ ହେବ। ବାପା ମାଆମାନେ ଭାବିଥାନ୍ତି ଯେ, ଆମେ ମରିବା ବେଳେ ଆମ ପୁଅ ଆମ ମୁହଁକୁ ନିଆ ଦେବ। କିନ୍ତୁ ପୁଅଟି ଯଦି କୁଳାଙ୍ଗାର ହୋଇଯାଏ, ତେବେ ସବୁ କଥା ସରିଲା। କାରଣ ଏମିତି କେତେକ କୁଳାଙ୍ଗାର ପୁଅ ବୃଦ୍ଧାବସ୍ଥାରେ ବାପା-ମାଆଙ୍କୁ ପଚାରିନଥାନ୍ତି। ଏପରିକି ବାପା କିମ୍ବା ମାଆର ମୃତ୍ୟୁପରେ ମଧ୍ୟ ଏହି ପୁଅମାନେ ଶବକୁ ନିଆଁ ଦିଅନ୍ତି ନାହିଁ।
ତେବେ ଆପଣ ଟିକେ ଭାବନ୍ତୁ ତ ପୁଅମାନେ ବାପା-ମାଆଙ୍କୁ ବୃଦ୍ଧାବସ୍ଥାରେ ବା ମୃତ୍ୟୁ ପରେ ହତାଦର କରିବେ ସେ କ୍ଷେତ୍ରରେ କ’ଣ କରାଯିବ ? ତେବେ ଆଜି ବି ଆମ ସମାଜରେ ଏପରି ଅନେକ ଘଟଣା ଘଟୁଛି। ଯାହାକୁ ଜାଣିଲେ ଆପଣ ଅବାକ୍ ହୋଇଯିବେ। ତେବେ ଠିକ୍ ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀରେ। ଏଠାରେ ଜଣେ ମାଆର ମର ଶରୀର ଶ୍ମଶାନକୁ ବୋହି ନେବା ପାଇଁ ଦୁଇ ପୁଅ ଘରେ ଥାଇ ମଧ୍ୟ ଆସିନଥିଲେ । ତେଣୁ ଚାରି ଝିଅ ଚାରି କାନ୍ଧରେ ମାଆର ଶବକୁ ପୁରୀର ସ୍ୱର୍ଗଦ୍ୱାରକୁ ନେଇ ଅନ୍ତିମ ସଂସ୍କାର କରିଥିଲେ ।
ସୂଚନାଯୋଗ୍ୟ ଯେ, ପୁରୀର ମଙ୍ଗଳାଘାଟର ୮୧ ବର୍ଷୀୟା ମହିଳା ଜଟି ସାହୁଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ପୁଅ ପାଖକୁ ଆସିନଥିଲେ। ତେଣୁ ଚାରି ଝିଅ ସିତାମଣି, ସୁଶୀଳା, ସୁମିତ୍ରା ଓ ସରସ୍ୱତୀ ସାହସର ସହ ଚାରିକାନ୍ଧ ଦେଇ ୪ କିମି ଦୂର ସ୍ୱର୍ଗଦ୍ୱାରକୁ ବୋହି ନେଇଥିଲେ । ଏହାକୁ ଦେଖି ବନ୍ଧୁ ପରିଜନ ସମସ୍ତେ ହତବାକ ହୋଇଯାଇଥିଲେ। ଅନ୍ୟପଟେ ଏହି ମୃତ ମହିଳା ଜଣଙ୍କ ବୃଦ୍ଧାବସ୍ଥାରେ ସାହି ସାହି ବୁଲି ମୁଢ଼ି ବିକି ଅର୍ଜିତ ଅର୍ଥରେ ନିଜ ସନ୍ତାନଙ୍କ ମୁହଁରେ ଖାଦ୍ୟ ଦେଉଥିଲେ ବୋଲି ଶୁଣିବାକୁ ମିଳିଛି।
ମାତ୍ର ମୃତ୍ୟୁ ପରେ ଆଜି ସେହି ମାଆ ଅଲୋଡ଼ା ହୋଇଯାଇଛି । ପୂର୍ବରୁ ୮-୧୦ ବର୍ଷ ହେଲା ପୁଅମାନେ ମାଆକୁ ବାରମ୍ବାର ଅତ୍ୟାଚାର କରି ଆସୁଥିବା ବେଳେ ଝିଅମାନେ ନ୍ୟାୟ ପାଇଁ ଥାନା, କଚେରୀ ଦୌଡ଼ୁଥିଲେ । ମାତ୍ର ଆଜି ତାଙ୍କ ମାଆ ଆଉ କାହାକୁ ହଇରାଣ କରିବ ନାହିଁ ବୋଲି କାନ୍ଦି କାନ୍ଦି କହୁଥିଲେ ଚାରି ଝିଅ। ଅନ୍ୟପଟେ ପାରିବାରିକ କଳହ ନେଇ କୌଣସି ଅଭିଯୋଗ ଥାନାକୁ ଆସିନଥିବା କହିଛନ୍ତି ବାସେଳି ସାହି ଆଇଆଇସି।