ଭୋପାଳ : ମଧ୍ୟପ୍ରଦେଶର ଦମୋହ ଜିଲ୍ଲାର ଏକ ଗାଁରେ ଜଣେ ୬ ବର୍ଷର ବାଳିକାକୁ ଅପହରଣ, ବଳାତ୍କାର ଓ ଆଖିରେ କ୍ଷତି ପହଞ୍ଚାଇବା ଅଭିଯୋଗରେ ଜଣେ ୨୧ ବର୍ଷର ଯୁବକକୁ ଗିରଫ କରାଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ୨୨ ଅପ୍ରେଲ ବୁଧବାର ଦିନ ସନ୍ଧ୍ୟାରେ ବୁନ୍ଦେଲଖଣ୍ଡ ଅଞ୍ଚଳର ରାଜ୍ୟ ରାଜଧାନୀ ଭୋପାଳର ୨୬୪ କିଲୋମିଟର ଉତ୍ତର-ପୂର୍ବରେ ଥିବା ଦମୋହ ଜିଲ୍ଲାର ଜାବେରା ପୋଲିସ ଷ୍ଟେସନ ଅନ୍ତର୍ଗତ ଗାଁରେ ଘଟିଥିଲା ଏହି ଲୋମଟଙ୍କୁରା ଘଟଣା ।
୨୩ ଅପ୍ରେଲ ଗୁରୁବାର ଦିନ ସନ୍ଧ୍ୟାରେ ପୋଲିସ ପଚରାଉଚରା ବେଳେ ଯୁବକ ଜଣକ ଏହି ଅପରାଧ କରିଥିବା ସ୍ୱୀକାର କରିଛି ଓ ତାକୁ ୩୬୩, ୩୬୬, ୩୭୬, ୩୦୭ ଭାରତୀୟ ଦଣ୍ଡ ସଂହିତା ବିଭାଗ ଏବଂ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (POCSO) ଅଧିନିୟମ ଅନୁଯାୟୀ ବୁକ୍ କରାଯାଇଛି ବୋଲି ସାଗର ଜୋନ୍ ପୋଲିସର ଇନ୍ସପେକ୍ଟର ଅନିଲ ଶର୍ମା କହିଛନ୍ତି ।
ଦମୋହ ପୋଲିସ ଅଧୀକ୍ଷକ ହେମନ୍ତ ଚୌହାନ କହିଛନ୍ତି ଯେ ଝିଅଟି କିଛି ଖାଦ୍ୟ ସାମଗ୍ରୀ କିଣିବାକୁ ଗାଁର ଏକ ଦୋକାନକୁ ଯାଇଥିଲା । କିନ୍ତୁ ନଫେରିବାରୁ ତାଙ୍କ ବାପାମା’ ଓ ପରିବାରର ଅନ୍ୟ ସଦସ୍ୟମାନେ ରାତିସାରା ଝିଅଟିକୁ ଖୋଜି ଖୋଜି ଗୁରୁବାର ସକାଳେ ଜାବେରା ପୋଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ପରେ ଝିଅଟିର ଦୁଇ ହାତ ବନ୍ଧା ହେଇ ଗାଁ ବାହାରେ ଥିବା ଏକ କ୍ଷେତରେ ଦେଖିବାକୁ ମିଳିଥିଲା । ତା ଆଖିରୁ ରକ୍ତ ବୋହୁଥିଲା । ତୁରନ୍ତ ଝିଅଟିକୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜକୁ ପଠାଯାଇଥିଲା ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଦର୍ଶାଯାଇଥିଲା ।
ପୋଲିସ ଅଧୀକ୍ଷକ ହେମନ୍ତଙ୍କ କହିବାନୁଯାୟୀ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ.ଆଇ.ଟି.) ଦାଖଲ କରାଯାଇଛି ଏବଂ ଅପରାଧୀଙ୍କୁ ଗିରଫ କରିବା ପାଇଁ ୧୦,୦୦୦ ଟଙ୍କା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ନିରୀହ ଝିଅଟିକୁ ବଳାତ୍କାର କରିବା ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟଜନକ । ଅପରାଧୀଙ୍କୁ ଶୀଘ୍ର ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ପୀଡ଼ିତାକୁ ସମସ୍ତ ସମ୍ଭାବ୍ୟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ଅଭିଯୁକ୍ତ ଗିରଫ ପାଇଁ ଇନ୍ସପେକ୍ଟର ଜେନେରାଲ ଅନିଲ ଶର୍ମା ୨୫,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ଏହି ସମୟରେ ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏହି ଅପରାଧରେ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି ।
ଟ୍ୱିଟର ମାଧ୍ୟମରେ ଉମା ଭାରତୀ କହିଛନ୍ତି ଯେ ଏହା ଏକ ଅମାନବୀୟ କାର୍ଯ୍ୟ ଯାହା ଉପରେ ମନ୍ତବ୍ୟ ଦେବାକୁ ସାହସ ଆବଶ୍ୟକ । ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ କରାଯିବା ଉଚିତ ଏବଂ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ । ପୀଡିତାର ବଞ୍ଚିଯାଉ ବୋଲି ଆମେ ସମସ୍ତେ ପ୍ରାର୍ଥନା କରିବା ଉଚିତ୍ ।
କଂଗ୍ରେସର ସାଧାରଣ ସମ୍ପାଦକ କମଲ ନାଥ ଏକ ଟ୍ୱିଟରେ ଏହାକୁ ନିନ୍ଦା କରି କହିଛନ୍ତି ଯେ ରାଜ୍ୟରେ କ’ଣ ଘଟୁଛି ଶିବରାଜଜୀ । ଅପରାଧୀମାନେ ଲକଡାଉନରେ ମଧ୍ୟ ମୁକ୍ତ ଭାବରେ ବୁଲୁଥିବା ପରି ମନେହୁଏ ? ଦମୋହ ଜିଲ୍ଲାରେ ଜଣେ ନିରୀହ ଝିଅ ବିରୋଧରେ ନିର୍ଦ୍ଦୟ ମାମଲା ରହିଛି, ଯାହାର ଆଖି ନଷ୍ଟ ହୋଇଯାଇଛି ।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ୍ କରି ଯୁବତୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଦମୋହ ଜିଲ୍ଲାରେ ଜଣେ ନିରୀହ ଝିଅକୁ ବଳାତ୍କାର ଘଟଣା ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟଜନକ । ଘଟଣାର ଗୁରୁତ୍ଵ ଗ୍ରହଣ କରି ମୁଁ ଅପରାଧୀଙ୍କୁ ଯଥାଶୀଘ୍ର ଧରିବାକୁ ନିର୍ଦ୍ଦେଶ ଦେଇଛି । ତାକୁ କଠୋର ଦଣ୍ଡ ଦିଆଯିବ । ଆମେ ନିଶ୍ଚିତ କରିବୁ ଯେ ବଞ୍ଚିଥିବା ବ୍ୟକ୍ତିଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ଏଥିରେ କୌଣସି ଅଭାବ ରହିବ ନାହିଁ ।