ଏଭଳି ଘଟଣାର ପୁନରାବୃତ୍ତି ନହେବା ଉଚିତ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କହିଲେ ଗୃହମନ୍ତ୍ରୀ ଅମିତ ଶାହା

ମୁମ୍ବାଇ: କରୋନାଭାଇରସ ବିସ୍ତାରକୁ ରୋକିବା ପାଇଁ ମଙ୍ଗଳବାର ଦିନ ସକାଳ ୧୦ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩ ତାରିଖ ସୁଦ୍ଧା ଲାଗୁ ହୋଇଥିବା ଦେଶବ୍ୟାପୀ ଲକଡାଉନ ଘୋଷଣା କରିବାର କିଛି ଘଣ୍ଟା ଭିତରେ ହିଁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରାସ୍ତାକୁ ଚାଲି ଆସିଲେ । ରାସ୍ତାକୁ ଆସି ନିଜ ଘରକୁ ଫେରିବାକୁ ପରିବହନର ଦାବି ଆରମ୍ଭ କରିଦେଲେ ।  ବାନ୍ଦ୍ରା ଷ୍ଟେସନରେ ଶହ ଶହ ଶ୍ରମିକ ଖୋଲାଖୋଲି ଭାବେ ଲକଡାଉନ ନିୟମ ଉଲ୍ଲଂଘନ କରିଥିଲେ । ପୋଲିସକୁ ଶେଷରେ ଲାଠି ଚାର୍ଜ କରିବାକୁ ପଡିଲା ।

ଏହି ଘଟଣାକୁ ଜାଣି ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଫୋନରେ କଥା ହୋଇଥିଲେ । ସେ କହିଛନ୍ତି ଯେ ଏଭଳି ଘଟଣା କରୋନା ବିରୋଧରେ ଯୁଦ୍ଧକୁ ଦୁର୍ବଳ କରିଥାଏ । ଏପରି ଘଟଣାର ଯେମିତି ପୁନରାବୃତ୍ତି ନହୁଏ ପ୍ରଶାସନଏହାପ୍ରତି ଯତ୍ନବାନ ହେଉ । ଦରକାର ପଡ଼ିଲେ ସମସ୍ତ ସମ୍ଭାବ୍ୟ ସାହାଯ୍ୟ କରାଯିବ ବୋଲି ଶାହା ଉଦ୍ଧବ ଠାକରେଙ୍କୁ ଆଶ୍ୱାସନା ମଧ୍ୟ ଦେଇଥିଲେ ।

ବାନ୍ଦ୍ରାଠାରେ ଅତ୍ୟଧିକ ଭିଡ଼ ଜମିବା ଘଟଣାରେ ମହାରାଷ୍ଟ୍ର ସରକାର ମନ୍ତ୍ରୀ ଆଦିତ୍ୟ ଠାକରେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ଠାକରେ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ, ଯେଉଁଦିନ ଠାରୁ  ରେଳ ଯୋଗାଯୋଗ ବନ୍ଦ କରିଦିଆଯାଇଛି, ସେଦିନୁ ୨୪ ଘଣ୍ଟା ଧରି ରେଳ ଚଳାଚଳ ହେଉ ବୋଲି ରାଜ୍ୟ ଅନୁରୋଧ କରିଛି । ଯଦ୍ୱାରା ପ୍ରବାସୀ ଶ୍ରମିକମାନେ ଘରକୁ ଫେରି ପାରିଥାନ୍ତେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ PM-CM ଭିଡିଓ କନ୍ଫୋଡେନ୍ସରେ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ପ୍ରବାସୀ ଶ୍ରମିକଙ୍କ ଘରେ ପହଞ୍ଚିବା ପାଇଁ ଗୋଟେ ରୋଡ ମ୍ୟାପର ଅନୁରୋଧ ମଧ୍ୟ କରିଥିଲେ ।

ସେ ଅନ୍ୟ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ବାନ୍ଦ୍ରା ଷ୍ଟେସନରେ ବର୍ତ୍ତମାନର ସ୍ଥିତି ହେଉ ଅବା ସୁରଟରେ ଦଙ୍ଗା କରୁଥିବା ସ୍ଥିତି ହେଉ, ପ୍ରବାସୀ ଶ୍ରମିକଙ୍କ ପାଇଁ ଘରକୁ ନଫେରି ପାରିବାର ଏ ଫଳାଫଳ । ଏହା ପଛର କାରଣ ହେଲା ସରକାର ପ୍ରବାସୀ ଶ୍ରମିକଙ୍କ ଘର ଫେରିବା ନେଇ କୌଣସି ଯୋଜନା ଏଯାଏଁ କରିନାହାନ୍ତି । ଖାଦ୍ୟ ଓ ଆଶ୍ରୟ ପାଇଁ ସେମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉଦ୍ଧବ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ବାନ୍ଦ୍ରା ରାସ୍ତାକୁ ଓହ୍ଲାଇବା ହଜାର ହଜାର ଶ୍ରମିକଙ୍କ ପାଇଁ ଏକ ଗୁରୁତର ଘଟଣା । ଏହି ଦୃଶ୍ୟ ଚିନ୍ତାଜନକ । ରାଜ୍ୟରେ ଥିବା ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରିବା, ସେମାନଙ୍କୁ ଉପଯୁକ୍ତ ଖାଦ୍ୟ, ସୁବିଧା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ଵ ଅଟେ ।

Leave a Reply

Your email address will not be published. Required fields are marked *