ଆଜି ଦେଶ ସାରା ଡାକ୍ତରମାନଙ୍କ ଧର୍ମଘଟ : କୋଭିଡ଼ ସେବା ଖୋଲା ରହିବ ହେଲେ ଜାଣନ୍ତୁ କ’ଣ ସବୁ ବନ୍ଦ ରହିବ

ଆଜି ଅର୍ଥାତ୍ ୧୧ ଡିସେମ୍ବର ୨୦୨୦ ରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ଦେଶ ସାରା ଡାକ୍ତରମାନଙ୍କ ଧର୍ମଘଟ । ଆୟୁର୍ବେଦର ସ୍ନାତକୋତ୍ତର ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ସରକାର ଅନୁମତି ଦେଇଥିବା ନିଷ୍ପତ୍ତି ବିରୋଧରେIMA ଏ ଧର୍ମଘଟ ଘୋଷଣା କରିଛି । ଦେଶବ୍ୟାପୀ ଧର୍ମଘଟ ସମୟରେ ସମସ୍ତ ଅଣ-ଅତ୍ୟାବଶ୍ୟକ ଏବଂ ଅଣ-କୋଭିଡ଼ ସେବା ବନ୍ଦ ରହିବ । ତଥାପି, ICU ଏବଂ CCU ଭଳି ଜରୁରୀକାଳୀନ ସେବା ଜାରି ରହିବ । ହେଲେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ କରାଯିବ ନାହିଁ ଯେତେବେଳେ କି ଆସନ୍ତା ସପ୍ତାହରେ ଏ ବିରୋଧ ତୀବ୍ର ରୂପ ନେଇପାରେ ବୋଲି ସୂଚନା ମିଳିଛି ।

IMA ଦ୍ଵାରା ଡକାଯାଇଥିବା ଏ ଧର୍ମଘଟ ସମୟରେ ଘରୋଇ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାକୁ ଛାଡ଼ି ଦେଲେ OPD ବନ୍ଦ ରହିବ, କିନ୍ତୁ ସରକାରୀ ଡାକ୍ତରଖାନାଗୁଡ଼ିକ ଖୋଲା ରହିବ । ତେବେ ଏହି ଧର୍ମଘଟକୁ ନେଇ ଦେଶର ଘରୋଇ ଡାକ୍ତରଖାନା ଚିନ୍ତା ପ୍ରକଟ କରିଛି । ଏହା ସହିତ ସ୍ୱାସ୍ଥ୍ୟ ସେବାକୁ ସୁଗମ ରଖିବା ପାଇଁ ପଦକ୍ଷେପ ନିଆଯାଉଛି ।

ଅନ୍ୟପକ୍ଷରେ IMA କହିଛି ଯେ ଏ ଧର୍ମଘଟ ସକାଳ ୬ ଟାରୁ ସଞ୍ଜ ୬ ଟା ପର୍ଯ୍ୟନ୍ତ ଚାଲିବ । କିଛି ଦିନ ପୂର୍ବେ ସେଣ୍ଟ୍ରାଲ୍ କାଉନସିଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ (CCIM) ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଆୟୁର୍ବେଦ ଡାକ୍ତରମାନେ ସାଧାରଣ ଏବଂ ଅର୍ଥୋପେଡିକ୍ ସର୍ଜରୀ ସହିତ ଆଖି, କାନ, ଗଳା ଅସ୍ତ୍ରୋପଚାର ମଧ୍ୟ କରିପାରିବେ ।

IMA କହିଛି ଯେ CCIM ର ବିଜ୍ଞପ୍ତି ଏବଂ NITI ଆୟୋଗ ଦ୍ୱାରା ୪ ଟି କମିଟି ଗଠନ କେବଳ ମିକ୍ସୋପାଥିକୁ ଉତ୍ସାହିତ କରିବ । ତେଣୁ ବିଜ୍ଞପ୍ତି ପ୍ରତ୍ୟାହାର ଏବଂ NITI ଆୟୋଗ ଦ୍ୱାରା ଗଠିତ କମିଟି ବାତିଲ କରିବାକୁ ଆସୋସିଏସନ ଦାବି କରିଛି ।

ନିକଟରେ ଆୟୁର୍ବେଦରେ ପୋଷ୍ଟ ଗ୍ରାଜୁଏଟ୍ ଡାକ୍ତରମାନଙ୍କୁ ୫୮ ପ୍ରକାର ଅସ୍ତ୍ରୋପଚାର ଶିଖିବା ଏବଂ ଅଭ୍ୟାସ କରିବାକୁ କେନ୍ଦ୍ର ସରକାର ଏକ ନିୟମ ଜାରି କରିଛନ୍ତି । ନଭେମ୍ବର ୨୦ ତାରିଖ ଦିନ ଦିଆଯାଇଥିବା ବିଜ୍ଞପ୍ତିରେ CCIM ୩୯ ଟି ସାଧାରଣ ଅସ୍ତ୍ରୋପଚାର ପ୍ରକ୍ରିୟା ତାଲିକାଭୁକ୍ତ କରିଛି, ଯେଉଁଥିରେ ୧୯ ଟି ପଦ୍ଧତି ଆଖି, ନାକ, କାନ ଏବଂ ଗଳା ସହିତ ଜଡ଼ିତ ।

ଆୟୁର୍ବେଦର ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର ଅନୁମୋଦନ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଭାରତୀୟ ମେଡିକାଲ ଆସୋସିଏସନ ବିରୋଧ କରୁଛି । ଡାକ୍ତରଙ୍କ ସଂଗଠନ IMA ତୁରନ୍ତ ଏହି ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରିବା ଉଚିତ୍ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *