ଭୁବନେଶ୍ଵର : କୁଳୁକୁଞ୍ଚା ପାଣି ପକାଇବାକୁ କେନ୍ଦ୍ର କରି ଆଜି ନୀଳାଦ୍ରିବିହାର କନ୍ୟାଶ୍ରମ ମୁଣ୍ଡା ବସ୍ତିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏ ଘଟଣାରେ ୩ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । କଥା ବଢ଼ିବା ପୂର୍ବରୁ ବସ୍ତିର ମୁରବୀମାନେ ଆସି ବୁଝାସୁଝା କରିବାରୁ ପରିସ୍ଥିତି ଆୟତାଧୀନ ହୋଇ ଶାନ୍ତ ପଡ଼ିଥିଲା ।
କନ୍ୟାଶ୍ରମ ମୁଣ୍ଡା ବସ୍ତିର ଯୁବକ ବାପି ସର୍ଦାର ଆଜି ସକାଳେ ଏକ ସିମେଣ୍ଟ ପିଣ୍ଡି ଉପରେ ବସି ଦାନ୍ତ ଘଷୁଥିଲେ । ଦାନ୍ତ ଘଷିଲାବେଲେ ସେ କୁଳୁକୁଞ୍ଚା ପାଣି ବସିଥିବା ପିଣ୍ଡି ଉପରେ ପକାଉଥିଲେ । ଏହାକୁ ସେଠାରେ ଥିବା କିଛି ଯୁବକ ତାଙ୍କୁ ବିରୋଧ କରିଥିଲେ । କୁଳୁକୁଞ୍ଚା ପାଣିରୁ କରୋନା ବ୍ୟାପିବାର ସମ୍ଭାବନା ଥିବା ଦର୍ଶାଇ ଏପରି ନ କରିବାକୁ ଯୁବକମାନେ ବାପିଙ୍କୁ ସତର୍କ କରେଇଥିଲେ । ହେଲେ ବାପି ସେମାନଙ୍କ କଥା ନମାନି ଓଲଟି ବଚସା ଆରମ୍ଭ କରିଦେଲେ ।
ବଚସା ବଢିବାରୁ ବାପି ରାଗି ଯାଇ ନିକଟରେ ଠିଆ ହୋଇଥିବା ଯୁବକମାନଙ୍କ ଉପରକୁ କୁଳୁକୁଞ୍ଚା ପାଣି ପକାଇ ଦେଇଥିଲେ । ପରେ ଉକ୍ତ ଯୁବକମାନେ ଘରକୁ ଚାଲି ଯାଇ ଠେଙ୍ଗା ଓ ମାରଣାସ୍ତ୍ର ଧରି ବାପି ଘର ନିକଟକୁ ଆସି ଗଣ୍ଡଗୋଳ କରିଥିଲେ । ଏହା ଦେଖି ବାପି ରହୁଥିବା ସାହିର ପିଲାମାନେ ମଧ୍ୟ ଠେଙ୍ଗା ବାଡ଼ି ଧରି ପରସ୍ପରକୁ ଆକ୍ରମଣ କରିବାକୁ ଲାଗିଲେ । ଏହିପରି ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଥିଲା । ବସ୍ତିର ମୁରବୀ ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ବୁଝାଶୁଝା କରିବା ସହ ପୋଲିସକୁ ଡାକିବା ନେଇ ଧମକ ଦେବା ପରେ ପରିସ୍ଥିତି ସ୍ଵାଭାବିକ ହୋଇଥିଲା ।