କେତେବେଳେ ଶୀତ ଦିନ କୁହୁଡ଼ିକୁ ଦାୟୀ କରାଯାଉଛି ତ କେତେବେଳେ ଟ୍ରାଫିକ ନିୟମ, କିନ୍ତୁ ପ୍ରାୟ ପ୍ରତି ଦିନ ଯେ ସଡ଼କ ଦୁର୍ଘଟଣା ଘଟୁଛି ଏବଂ ସେଥିରେ ଜନଜୀବନର କ୍ଷତି ହେଉଛି ଏକଥାକୁ ଫାଙ୍କି ହେବ ନାହିଁ । ସେହିପରି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଗୁମାଡ଼େରା ନିକଟରେ ଆଜି ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଏକ ମାଲବାହୀ ଟ୍ରକ୍ ଜଣେ ଯୁବତୀଙ୍କୁ ଧକ୍କା ଦେବାରୁ ଯୁବତୀ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ମିଳିଥିବା ଖବର ମୁତାବକ ମୃତ ଯୁବତୀ ଜଣଙ୍କ ଶ୍ରୀୟା ଆଇଚ ଏବଂ ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା । ଏହାସହିତ ମୃତ ଯୁବତୀଙ୍କ ଘର ଗୁମାଡ଼େରାର ଟିଆରଏଲ କଲୋନୀରେ ବୋଲି ଜଣାପଡ଼ିଛି । ମାଏଷ୍ଟ୍ରୋ ଚଲେଇ ଶ୍ରୀୟା ଆଜି ଗୁମାଡ଼େରାରୁ ବେଲପାହାଡ଼ ଯାଉଥିବା ବେଳେ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା । ଯୁବତୀ ଜଣଙ୍କ ଟ୍ରକ ଚକ ତଳେ ପଶି ଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇ ଥିବାବେଳେ ଟ୍ରକକୁ ଜବତ କରିଛି ପୋଲିସ । ମାତ୍ର ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଘୋର ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକେ ବେଲପାହାଡ଼ ବନ୍ଧବାହାଲ ରୋଡ଼କୁ ଜାମ୍ କରି ମାଲବାହୀ ଗାଡ଼ି ପାଇଁ ସ୍ଵତନ୍ତ୍ର ରୋଡ଼ ଦାବି କରିଛନ୍ତି । ସେପଟେ ଘଟଣାସ୍ଥଳରେ ପହଞ୍ଚି ବେଳପାହାଡ଼ ପୋଲିସ ଉତ୍ତେଜିତ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି ।