୮୦ ଦଶକର ପ୍ରଖ୍ୟାତ ଓଲିଉଡ଼ ଅଭିନେତ୍ରୀ ଏବେ ରାଜଧାନୀ ରାଜ ରାସ୍ତାରେ : ଭୋକ ମେଣ୍ଟେଇବା ପାଇଁ ମାଗୁଛନ୍ତି ଭିକ

ଅବିଶ୍ଵାସ ଲାଗୁଥିଲେ ବି ବାସ୍ତବରେ ଘଟିଛି ଏହି ଅଭାବନୀୟ ଘଟଣା । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ପ୍ରଖ୍ୟାତ ଅଭିନେତ୍ରୀ ଏବେ ଦାଣ୍ଡର ଭିକାରୀ ସାଜିଛନ୍ତି । ୮୦ ଦଶକ ସମୟରେ ଓଡ଼ିଆ ସିନେମା ତଥା ଥିଏଟରରେ ଅଭିନୟ କରି ଅନେକ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ମୀରା ମହାନ୍ତି ଆଜି ସମସ୍ତଙ୍କ ପାଇଁ ଆଲୋଡ଼ା ହେଇ ପଡ଼ିଛନ୍ତି । ପେଟର ଭୋକ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ସେ ଏବେ ରାଜଧାନୀ ରାଜରାସ୍ତାରେ ଭିକ ମାଗୁଛନ୍ତି ।

ଆଶ୍ଚର୍ଯ୍ୟର ବିଷୟବସ୍ତୁ ଏହି କି ଯେ ଏ ଘଟଣା ପୁଣି ଦେଖିବାକୁ ମିଳିଛି ଖୋଦ୍ ଭୁବନେଶ୍ୱରରେ । ବିଏମ୍‌ସି ୫୭ ନମ୍ବର ୱାର୍ଡ ମାଉସୀ ମା’ ଫ୍ଲାଏ ଓଭର୍ ବ୍ରିଜ୍ ତଳେ ଥିବା ଏକ ବସ୍ତିର ଝୁମ୍ପୁଡ଼ି ଘରେ ବିଧବା ବୋହୂ ଓ ନାତୁଣୀ ରହୁଛନ୍ତି ସେ । ବୟସ ପାଖାପାଖି ୬୦ ହେଲାଣି । କୌଣସି ପ୍ରକାର ରୋଜଗାର ନଥିବାରୁ ବାଧ୍ୟ ହୋଇ ଭିକ ମାଗୁଛନ୍ତି ଅଭିନେତ୍ରୀ ମୀରା ।

ସୂଚନାଥାଉ ଯେ ଯାଯାବର, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ସମ୍ପୂର୍ଣ୍ଣ ରାମାୟଣ, ପ୍ରତିଧ୍ଵନୀ ଭଳି ଅନେକ ଓଡ଼ିଆ ସିନେମାରେ ସେ ଅଭିନୟ କରି ପ୍ରଶଂସା ଗୋଟେଇ ଥିଲେ । କଟକର କଳାଶ୍ରୀ ଥିଏଟର, ଜନତା ରଙ୍ଗମଞ୍ଚ, ଅର୍ଣ୍ଣପୂର୍ଣ୍ଣା ଥିଏଟର, ଏକାମ୍ର ଥିଏଟରରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ଭାବେ ତାଙ୍କର ଖ୍ୟାତି ରହିଥିଲା । ତେବେ ୧୯୯୯ ମସିହାରେ ସେ କଟକ ଛାଡ଼ି ଭୁବନେଶ୍ଵର ପଳେଇ ଆସିଥିଲେ ଏବଂ ପୁଅବୋହୂ ସାଙ୍ଗରେ ରହୁଥିଲେ । ପୁଅ ବିଏମ୍‌ସିରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ ମାତ୍ର ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଗଲା । ବିଧବା ବୋହୂ ଓ ନାତୁଣୀର ବୋଝ ମୁଣ୍ଡାଇବାକୁ ପଡ଼ିଥିଲା ମୀରାଙ୍କୁ ।

ତେବେ କେନ୍ଦ୍ରୀୟ ସଂସ୍କୃତି ବିଭାଗ ପକ୍ଷରୁ ମୀରାଙ୍କୁ ମାସିକ ୩୦୦୦ ଟଙ୍କା କଳାକାର ଭତ୍ତା ମିଳୁଥିଲାବେଳେ ଏହି ମହାମାରୀ କରୋନା କାଳରେ ତାହା ମଧ୍ୟ ବନ୍ଦ ହେଇଗଲା । ବର୍ତ୍ତମାନ କେବଳ ବୋହୂ ପାଉଛନ୍ତି ୧୦୦୦ ଟଙ୍କା ବିଧବା ଭତ୍ତା ଯେଉଁଥିରେ ତାଙ୍କ ପରିବାର ଚଳିବା ଅସମ୍ଭବ ହୋଇଯାଇଛି । ଏହି କାରଣରୁ ବାଧ୍ୟ ହୋଇ ମୀରାଙ୍କୁ ଆପଣେଇବାକୁ ପଡ଼ିଛି ଭିକ୍ଷା ବୃତ୍ତି ।

Leave a Reply

Your email address will not be published. Required fields are marked *