ମଦ ପିଇବାକୁ ଦେଲାନି ବୋଲି ସାଙ୍ଗମାନେ ମାରିଦେଲେ ବରକୁ : ବାହାଘର ଦିନ ବରକୁ ହତ୍ୟା

ଉତ୍ତର ପ୍ରଦେଶର ଆଲିଗଡ ପାଲିମୁକିମପୁର ଗାଁରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା ଯେଉଁଠି ବାହାଘର ଦିନ ବରକୁ ହତ୍ୟା ଏବଂ ତାହା ବି ସାମାନ୍ୟ ମଦ ପିଇବାକୁ ନେଇ । ଘଟଣାଟି ଚାରିଆଡ଼େ ଚର୍ଚ୍ଚାରେ ଥିବାବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତଥାପି ଫେରାର ଅଛନ୍ତି ଆଉ ୫ ଜଣ ସାଙ୍ଗ ।

ଘଟଣାଟି ଏହିପରି । ୨୮ ବର୍ଷୀୟ ଯୁବକ ବବଲୁ ନିଜ ବାହାଘର ପାଇଁ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିଥିଲା । ହେଲେ ବରଯାତ୍ରୀରେ ଯିବାକୁ ସାଙ୍ଗମାନେ ବବଲୁକୁ ମଦ ମାଗିଥିଲେ । ବାହାଘର ସରିବା ପରେ ସାଙ୍ଗମାନଙ୍କୁ ଭେଟିବାକୁ ଯାଇଥିଲା ବେଳେ ବବଲୁକୁ ପୁଣିଥରେ ମଦ୍ୟପ ସଙ୍ଗମାନେ ମଦ ମାଗିଲେ ଏବଂ ନଦେଲେ ଜୀବନରୁ ମାରିଦେବୁ କହି ବରକୁ ଧମକ ବି ଦେଲେ ।

ସାଙ୍ଗମାନଙ୍କ କଥା ଶୁଣି ମଦ ଦେବନି ବୋଲି ବର ବବଲୁ ସିଧାସିଧା ମନା କରିଥିଲା ଯାହାପରେ ସାଙ୍ଗମାନଙ୍କ ମୁଣ୍ଡକୁ ପିତ ଚଢି ଯାଇଥିଲା । ସେମାନେ ନିଜର ହିତାହିତ ଜ୍ଞାନ ଭୁଲି ଶେଷରେ ନୂଆ ବାହା ହୋଇଥିବା ନିଜ ସାଙ୍ଗକୁ ନିର୍ମମ ହତ୍ୟା କଲେ । ପୂର୍ବରୁ ମଦ ନିଶାରେ ଚୁର୍ ହୋଇଥିବା ମଦ୍ୟପ ସାଙ୍ଗମାନେ ପ୍ରଥମେ ବବଲୁ ସହିତ ହାତାହାତି ହେଇଥିଲେ ଏବଂ ୟା’ଭିତରେ ଜଣେ ଧାରୁଆ ଛୁରୀରେ ବବଲୁର ପେଟ, ପିଠି ଓ ଦେହକୁ ଭୂଷି ଚାଲିଲା ।

ଗୁରୁତର ଅବସ୍ଥାରେ ବବଲୁକୁ ହସ୍ପିଟାଲ ତ ନିଆଗଲା ସତ ହେଲେ ସବୁଦିନ ପାଇଁ ଆଖି ବୁଜିଲା ବର ସାଜିଥିବା ଓ ସେହି ଦିନ ବାହା ହେଇଥିବା ବବଲୁ । ଗୋଟେ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଲିଭିଗଲା ଜୀବନ ଦୀପ ସାମାନ୍ୟ ମଦ ପାଇଁ ।

Leave a Reply

Your email address will not be published. Required fields are marked *