ଉତ୍ତରପ୍ରଦେଶ : କରୋନାର କରାଳ ଭୟ ଓ ତୀବ୍ର ସଂକ୍ରମଣ ଭିତରେ ଧର୍ମାନ୍ଧମାନଙ୍କର ତୁମୁଳ କାଣ୍ଡ ଦେଖିବାକୁ ମିଳୁଛି । ମହାରାଷ୍ଟ୍ରର ପାଲଘର ପରେ ପରେ ଏବେ ସେହିପରି ଏକ ବିଭତ୍ସ ଘଟଣା ଘଟିଛି ବୁଲନ୍ଦଶହର ଜିଲ୍ଲାରେ ଦୁଇ ଜଣ ସାଧୁଙ୍କୁ ଗଳା କାଟି ହତ୍ୟା କରାଯାଇଛି ବୋଲି ଏକ ମାମଲା ରୁଜୁ ହେଇଛି । ମନ୍ଦିର ପରିସରରେ ଥିବା କୋଠରୀରେ ଉଭୟ ସାଧୁଙ୍କ ମୃତଦେହ ରକ୍ତରେ ଭିଜି ଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ଅନୁପଶହର କୋତୱାଲି ଅଞ୍ଚଳର ପଗୋନା ଗାଁର ।
ପୋଲିସ ସନ୍ଦେହରେ ଗାଁର ଜଣେ ଯୁବକଙ୍କୁ ଅଟକ ରଖିଛି ଯାହାକୁ ଅପରାଧୀ ବୋଲି କୁହାଯାଉଛି । କୌଣସି ବିଷୟକୁ ନେଇ ଯୁବକ ଓ ସାଧୁମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ବୋଲି ସୂଚନା ମିଳୁଛି । ଏହି ଘଟଣା ପରେ ବୁଲନ୍ଦଶହର ଏସ.ଏସ.ପି. ସମେତ ସମସ୍ତ ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସୂକ୍ଷ୍ମାତିସୂକ୍ଷ୍ମ ଯାଞ୍ଚ କରିଥିଲେ । ପୋଲିସର ପ୍ରଥମ ଅନୁସନ୍ଧାନ ଘେରରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ନାଁ ଭିତରେ ଆସିଲା ସେହି ଗାଁର ଜଣେ ନିଶାସକ୍ତ ଯୁବକର ନାଁ । ଯୁବକର ନାମ ମୁରାରୀ ।
ବୁଲନ୍ଦଶହର ପୋଲିସ ଦାବି କରିଛି ଯେ ଗିରଫ ହୋଇଥିବା ମୁରାରୀ ଦୀର୍ଘ ଦିନ ଧରି ଭାଙ୍ଗ ଖାଉଥିଲା । ଘଟଣାର ଦୁଇ ଦିନ ପୂର୍ବରୁ ସାଧୁଙ୍କ ଚିମୁଟା ଚୋରି କରିବା ଅଭିଯୋଗ ଥିଲା । ଅଭିଯୋଗ ହୋଇଛି ଯେ ମୃତ ସାଧୁ ଏବଂ ଅଭିଯୁକ୍ତ ମୁରାରୀଙ୍କ ମଧ୍ୟରେ ସେହି ଚିମୁଟା ଚୋରିକୁ ନେଇ ଯୁକ୍ତିତର୍କ ହୋଇଥିଲା ଯେଉଁଥିରେ ଅଭିଯୁକ୍ତ ମୁରାରୀ ଉଭୟ ସାଧୁଙ୍କ ପରିଣାମ ଭୋଗିବେ ବୋଲି ଧମକ ବି ଦେଇଥିଲେ ।
ଏହି ମାମଲାରେ ଏସ.ଏସ.ପି. ସାନ୍ତୋଷ କୁମାର ସିଂହ କହିଛନ୍ତି ଯେ ଦୁଇ ସାଧୁ ଏକ ମନ୍ଦିରରେ ରହୁଥିଲେ । ମୁରାରୀ ନାମକ ଯୁବକ ଏହି ମନ୍ଦିରକୁ ଯିବାଆସିବା କରେ ଓ ସେ ଭାଙ୍ଗ ଖାଏ । ୩ / ୪ ଦିନ ପୂର୍ବେ ମୁରାରୀ ସାଧୁଙ୍କ ଚିମୁଟା ଗାୟବ କରିଦେଇଥିଲା ଓ ସାଧୁ ଏଥିନେଇ ତାକୁ ପାଟି ମଧ୍ୟ କରିଥିଲେ । ଏହି କାରଣରୁ ମୁରାରୀ ସାଧୁଙ୍କୁ କେଉଁ ଏକ ଧାରୁଆ ଖଣ୍ଡାରେ ହାଣି ଦେଇଛି । ଗାଁଲୋକେ ବି ତାକୁ ଖଣ୍ଡା ଧରି ଗାଁ ବାହାରକୁ ଯାଉଥିବାର ଦେଖିଥିଲେ । ଏହାକୁ ଆଧାର କରି ମୁରାରୀକୁ ଖୋଜା ହେଲା ଓ ଗାଁଠାରୁ ଦୁଇ କିଲୋମିଟର ଦୂରରେ ମିଳିଲା । ମୁରାରୀ ଧରା ପଡ଼ିବା ସମୟରେ ନିଶାସକ୍ତ ଅବସ୍ଥାରେ ଓ ଅଧା ଜାଗ୍ରତ ଥିଲା ଯାହାକୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ବାବଦରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ସବିସ୍ତୃତ ରିପୋର୍ଟ ମାଗିଛନ୍ତି ।