ବଞ୍ଚି ଥାଉଥାଉ ପୁଅର କଲେ ଶୁଦ୍ଧିକ୍ରିୟା : କରଜ କରି ଗାଁ ଲୋକଙ୍କୁ ଦେଲେ ଭୋଜିଭାତ

ସାଧାରଣତଃ ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ହୋଇଥାଏ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏଠାରେ ଗୋଟିଏ ୯ ବର୍ଷର ପୁଅର ହୋଇଛି ଶୁଦ୍ଧିକ୍ରିୟା ଯେତେବେଳେ କି ସେ ବଞ୍ଚିଛି । ୨୧ ଦିନ ଗାଁ ଲୋକେ ବାସନ୍ଦ କଲାପରେ ବାଧ୍ୟ ହୋଇ ବାପା କରିଥିଲେ ପୁଅକୁ ଲଣ୍ଡା ଏବଂ କରଜ କରି ଦେଇଥିଲେ ଗାଁ ଲୋକଙ୍କୁ ଭୋଜିଭାତ ।

ଏକ ସାକ୍ଷାତକାରରେ ପୀଡ଼ିତ ପୁଅ କାହ୍ନାର ମା କହିଲେ ଜନ୍ମରୁ ସେ ସେମିତି ଥିଲା । ଶରୀର ସାରା ଲୋମ ଥିଲା ତାର । ହେଲେ ଆମର କିଛି ଦୁଃଖ ନଥିଲା । ପରେ ତା ଦେହରେ ଘା’ ହେଲା ଏବଂ ସେହି ଘା’ରେ ପୋକ ବି ହେଲା । ଗାଁ ଲୋକେ ଛୁଇଁବା ଦୂର କଥା ବାରଣ କରିବାକୁ ଲାଗିଲେ । ପୁରା ପରିବାରକୁ ବାଛନ୍ଦ କରିଦେଲେ । ଯେ ଯନ୍ତ୍ରଣାଠୁ ବଳି ଗଲା ଲୋକଙ୍କ ଯାତନା ।

ସେପଟେ କାହ୍ନାର ବାପା ରାମଚନ୍ଦ୍ର ନାୟକଙ୍କ କହିବା କଥା ଯେ ସେ ଜନ୍ମରୁ ସେମିତି ଲୋମଯୁକ୍ତ ଥିଲା । ଦେହରେ ମାଂସ ବି ବଢିଥିଲା ଠାଏ ଠାଏ । ୫ ଟି ସନ୍ତାନ ଭିତରେ କାହ୍ନା ହିଁ ବଡ଼ ପୁଅ । ପ୍ରଶାସନ ସହାୟତାରେ ବ୍ରହ୍ମପୁର ମେଡ଼ିକାଲ ଯାଇ ଅସ୍ତ୍ରୋପଚାର କରି ୩ ବର୍ଷ ତଳେ ଫେରିଥିଲି । ହେଲେ ଅସ୍ତ୍ରୋପଚାର ପରେ ଦେହହାତ ତାର କୁଣ୍ଡାଇ ହେବା ସହିତ ପୋକ ହେଲା । ଗାଁ ଲୋକେ ଆମ ପରିବାରକୁ ବାଛନ୍ଦ କଲେ । ଶେଷରେ ଗାଁ ଲୋକଙ୍କ ଚାପରେ ବଞ୍ଚି ଥାଉ ଥାଉ ୯ ବର୍ଷର ଜନ୍ମକଲା ପୁଅକୁ ଶୁଦ୍ଧି ହେଲେ ବାପା ସମେତ ପରିବାର ଲୋକେ । ଦିନ ମଜୁରିଆ ବାପା ରାମଚନ୍ଦ୍ର କରଜ କରି ପୁଅକୁ ଲଣ୍ଡା କରିବା ସହିତ ଦେଲେ ଭୋଜିଭାତ ।

Leave a Reply

Your email address will not be published. Required fields are marked *