ରମାଦେବୀ ଛାତ୍ରୀ ଝରାଫୁଲଙ୍କ ଅସ୍ୱାଭାବିକ ମୃତ୍ୟୁକୁ ଦୁଇ ସପ୍ତାହ ପୁରିଯାଇଛି । ମାତ୍ର ଏପର୍ଯ୍ୟନ୍ତ ଆସାମୀ କିଏ ବୋଲି ସ୍ପଷ୍ଟ ଜଣାପଡ଼ିନି । ହତ୍ୟା ସନ୍ଦେହରେ ମୁଖ୍ୟ ଅଭିଯୁକ୍ତ ତଥା ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ପୋଲିସ ହିପାଜତରେ ହେଲେ ପ୍ରମାଣ ସେମିତି କିଛି ମିଳିପାରିନି । ତେବେ ସୂଚନାସାରେ ତଥ୍ୟ ତଥା ପ୍ରମାଣ ଯୋଗାଡ଼ି ସହିତ ପୋଲିସ ଅପେକ୍ଷା କରିଛି ଭିସେରା ରିପୋର୍ଟକୁ ।
ଘଟଣା ରାତିରେ ହୋଟେଲ ଓୟୋ ରୁମ୍ ଭିତରେ ଝରାଫୁଲ ଏବଂ ତାଙ୍କ ପ୍ରେମିକ ଭିତରେ ଝଗଡ଼ା ହୋଇଥିଲା କି ? ହତ୍ୟା ଥିଲା ନା ଆତ୍ମହତ୍ୟା ? ତେବେ ଏନେଇ ଅଭିଯୁକ୍ତ ରାକେଶକୁ ରିମାଣ୍ଡ ନେଇ ଅନେକ ତଥ୍ୟ ହାତେଇଛି ପୋଲିସ ମାତ୍ର କାରଣ ଏଯାଏଁ ଅସ୍ପଷ୍ଟ ।
ଅନ୍ୟପକ୍ଷରେ ମୃତକ ଝରାଫୁଲ ବାପା ପୋଲିସକୁ କହିଛନ୍ତି ଯେ ଅଭିଯୁକ୍ତ ରାକେଶ ସହିତ ଆଉ ସମ୍ପର୍କରେ ରହିବାକୁ ଚାହୁଁ ନଥିଲା ମୋ ଝିଅ । ପରିବାର ଲୋକଙ୍କ ବାରମ୍ବାର ତାଗିଦ୍ ଫଳରେ ତାଠାରୁ ଦୂରେଇ ସେ ସ୍ଥିର କରିଥିଲା ଯାହାକୁ ରାକେଶ ହୁଏତ ଗ୍ରହଣ କରିପାରି ନଥିଲା । କୌଣସି ଫଟୋ କିମ୍ବା ଭିଡ଼ିଓ ମାଧ୍ୟମରେ ସେ ବ୍ଲାକ୍ମେଲ୍ କରିବା ଆରମ୍ଭ କରିଥିଲା ଏବଂ ହୁଏତ ସେ କାରଣରୁ ଦୁହିଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ଏହାସହିତ ତ୍ରିକୋଣୀୟ ପ୍ରେମକୁ ବି ପୋଲିସ ଗୁରୁତ୍ୱ ଦେଇଛି । ରାକେଶ ଏବଂ ଝରାଫୁଲ ପ୍ରେମ ସମ୍ପର୍କ ଭିତରକୁ ତୃତୀୟ କେହି ପଶିଥିଲେ କି ? କାରଣ ଅଭିଯୁକ୍ତ ରାକେଶ ମୋବାଇଲରୁ କିଛି ତଥ୍ୟ ପାଇଛି ପୋଲିସ । ପୋଲିସର ସନ୍ଦେହ ଯେ ହୁଏତ ଏହି କାରଣରୁ ମାତ୍ରାଧିକ ଝଗଡ଼ା ଚରମ ପରିଣତି ରୂପେ ହତ୍ୟାକାଣ୍ଡ ହୋଇଥାଇପାରେ । ତେବେ ଝରାଫୁଲ ମୃତଦେହ ପୋଷ୍ଟମର୍ଟମ୍ ରିପୋର୍ଟରୁ ତାଙ୍କୁ ହତ୍ୟା କରାଯିବାର ସୁରାଗ୍ ମିଳିଥିବା ନେଇ ଚାରିଆଡ଼େ ଚର୍ଚ୍ଚା । କାରଣ ତାଙ୍କ ଶ୍ୱାସନଳୀ ଚିପି ହୋଇଯାଇଥିବା ରିପୋର୍ଟରେ ଲେଖା ଅଛି । କିନ୍ତୁ ଝରାଫୁଲ ପାଟିରୁ ଫେଣ ବାହାରିଥିବା ନେଇ ରାକେଶ ବୟାନରୁ ଘଟଣାଟି ଜଟିଳ ହୋଇ ପଡ଼ିଥିଲା । ତେବେ କୌଣସି ନିଶାସେବନ କିମ୍ବା ଔଷଧର ପ୍ରତିକ୍ରିୟା ମୃତ୍ୟୁ କାରଣ କି ନା ତାହା ଜାଣିବାକୁ ପୋଲିସ ଅପେକ୍ଷା କରିଛି ଭିସେରା ରିପୋର୍ଟକୁ ।