ଦିନକୁ ଦିନ ମଣିଷ ପିଶାଚ ପାଲଟି ଚାଲିଛନ୍ତି କହିଲେ କିଛି ଅତ୍ୟୁକ୍ତି ହେବନି । କାରଣ ରାଜ୍ୟର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଘଟିଛି ସେହିପରି ଏକ ଲଜ୍ଜାଜନକ ଘଟଣା । ମାତ୍ର ୮ବର୍ଷର ଶିଶୁକୁ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କଲା ପିଶାଚ ମାମୁଁ । ଗୁରୁତର ଭାବେ ଆହତ ପୀଡ଼ିତାକୁ ଏକ ଗାତରେ ପକାଇ ପଳାଉଥିବା ବେଳେ ଅଭିଯୁକ୍ତକୁ ଗାଁ ଲୋକେ କାବୁ କରି ନିର୍ଧୁମ ଛେଚିଛନ୍ତି ବୋଲି ସୂଚନା ମିଳିଛି ।
ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଅଭିଯୁକ୍ତକୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବାବେଳେ ଗୁରୁତର ଆହତ ହୋଇଥିବା ପୀଡ଼ିତା ଶିଶୁକୁ ଜଙ୍ଗଲରୁ ଉଦ୍ଧାର କରି ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ନରସିଂହପୁର ଭୁସକା ଗାଁର ଗୋବିନ୍ଦ ସାହୁ ଯିଏ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଗତକାଲି ଚଞ୍ଚକତାର ସହିତ ୮ ବର୍ଷର ଭାଣିଜୀକୁ ପାଖ ଜଙ୍ଗଲକୁ ଡାକି ନେଇ ତା ସହିତ ଦୁଷ୍କର୍ମ କରିଥିଲେ । ଏହାପରେ ପୀଡ଼ିତାକୁ ଏକ ଗାତକୁ ଫୋପାଡ଼ି ଦେଇ ସେଠାରୁ ଫେରାର ହେବାକୁ ପ୍ରୟାସ କରିଥିଲେ ।

ସେପଟେ କିନ୍ତୁ ପୀଡ଼ିତାର ପରିବାର ଲୋକେ ଝିଅକୁ ନପାଇ ବହୁ ଖୋଜାଖୋଜି କଲାପରେ ଗାଁ ପାଖ ଜଙ୍ଗଲରେ ଏକ ଗାତରେ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତାକୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ଅଭିଯୁକ୍ତକୁ କାବୁ କରି ବହେ ଛେଚିଥିଲେ । ତେବେ ଶିଶୁକୁ ଦୁଷ୍କର୍ମ କରାଯାଇଥିବାରୁ ତାର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା । ତେଣୁ ହିନ୍ଦୋଳରୁ ପୁଣି ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି ବୋଲି ପୋଲିସ କହିଛି ।