ଉତ୍ତର ପ୍ରଦେଶର ବୁଲନ୍ଦ ସହରରୁ ଆସିଛି ଏକ ଜଘନ୍ୟ ହତ୍ୟାକାଣ୍ଡ ଖବର ଯେଉଁଥିରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ଦୁଇ ଝିଅଙ୍କୁ ଏକ ହାତୁଡ଼ିରେ ପିଟିପିଟି ହତ୍ୟା କରିଛନ୍ତି । ଆଉ ଜଣେ ଝିଅ ଗୁରୁତର ଆହତ ଥିବା ସୂଚନା ମିଳିଛି । ତେବେ ଏମିତି କାଣ୍ଡ ଭିଆଇଲା ପରେ ଅଭିଯୁକ୍ତ ସ୍ଵାମୀ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସେପଟେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଭିନ୍ନ ଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।
ପୋଲିସ ଦେଇଥିବା ସୂଚନା ଅନୁସାରେ ବୁଧବାର ଦିନ ସକାଳେ ବୁଲନ୍ଦର ଆମ୍ବେଦକର ନଗରରେ ରହୁଥିବା ସଇଦ ନିଜ ପତ୍ନୀ ଏବଂ ୩ ଝିଅଙ୍କୁ ଏକ ହାତୁଡ଼ିରେ ମରନ୍ତାକ ଆକ୍ରମଣ କରିଥିଲେ। ଏହି ଘଟଣାରେ ପତ୍ନୀ ସମେତ ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଝିଅର ଗୁରୁତର ଭାବେ ଆହତ ହୋଇଥିଲା । ଶୁଣିବାକୁ ମିଳୁଛି ଯେ ସଇଦ ସେମାନଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲା ।

ମାତ୍ର ପୋଲିସ କହିବାନୁସାରେ ଅଭିଯୁକ୍ତ ସଇଦ ଜଣେ ମାନସିକ ରୋଗୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରିବା ସହିତ ସେମାନଙ୍କୁ ପୋଷ୍ଟମଟର୍ମ ପାଇଁ ପଠାଇଛି । ଏହାସହିତ ଗୁରୁତର ଆହତ ହୋଇଥିବା ଝିଅକୁ ଚିକିତ୍ସା ପାଇଁ ହସ୍ପିଟାଲ ମଧ୍ୟ ପଠେଇଛି । ସେପଟେ ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ଵତନ୍ତ୍ର ଦଳ ଗଠନ କରି ଭିନ୍ନ ଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ପୋଲିସ ।