ଫେବୃଆରୀ ୨୬ ତାରିଖରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ନିଖୋଜ ହୋଇଗଲା ଉତ୍ତରାଖଣ୍ଡର ବୁଲନ୍ଦଶାହରେ । ଏହି ମାମଲାର ତଦନ୍ତରେ ଧରାପଡ଼ିଛି ଅଭିଯୁକ୍ତ । ନିଖୋଜ ନାବାଳିକାର ମୃତଦେହ ମଧ୍ୟ ଅଭିଯୁକ୍ତ ଥିବା ସ୍ଥାନରୁ ଉଦ୍ଧାର କରାଯାଇଛି । ଉକ୍ତ ଛାତ୍ରୀ ସାଙ୍ଗରେ ଅଭିଯୁକ୍ତ ବଳାତ୍କାର କରିବାକୁ ଚାହୁଁଥିଲା, ହେଲେ ସେ ଚିତ୍କାର କରିବାରୁ ତାକୁ ହତ୍ୟା କଲା । ମୃତଦେହକୁ ଅଗଣାରେ ପୋତି ଦେଇ ଫେରାର ହୋଇଯାଇଥିଲା । ତେବେ ପୋଲିସ ଅଭିଯୁକ୍ତକୁ ହିମାଚଳ ପ୍ରଦେଶରୁ ଗିରଫ କରିଛି ।
ଘଟଣାଟି ଘଟିଥିଲା ଏହିପରି । ଅନୁପସହର ଥାନା ଅନ୍ତର୍ଗତ ସିରୋରା ଗାଁରେ ରହୁଥିବା ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ଫେବୃୟାରୀ ୨୬ ରୁ ନିଖୋଜ ହୋଇଯାଇଥିଲା । ପରିବାରଙ୍କ ଅଭିଯୋଗ ଥିଲା ଯେ ନାବାଳିକା ଜଣକ ନିଜ ମା’ ଏବଂ ଭଉଣୀଙ୍କ ସହିତ ଚାଷ ଜମିରେ କାମ କରିବାକୁ ଯାଇଥିଲେ । ଶୋଷ ଲାଗିବାରୁ ପଡ଼ିଶା ଘରକୁ ଯାଇଥିଲା ପାଣି ପିଇବାକୁ ଯାହାପରେ ତାର ଆଉ ପତ୍ତା ମିଳିଲାନି ।

ବହୁ ଖୋଜାଖୋଜି ପରେ ଯେତେବେଳେ ଝିଅ ମିଳିଲା ନାହିଁ, ପରିବାର ଲୋକେ ଅପହରଣର ଏକ ମାମଲା ଫେବୃୟାରୀ ୨୮ରେ ଅନୁପସହର ଥାନାରେ ଦାଏର କଲେ । ଘଟଣାର ଫଳାଫଳ ଆଶ୍ଚର୍ଯ୍ୟଜନକ ଭାବେ ପ୍ରକାଶ ପାଇଲା । ବର୍ତ୍ତମାନ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଯେତେବେଳେ ସନ୍ଦେହ କରି ଅଭିଯୁକ୍ତଙ୍କ ଘର ତଥା ବାହାର ଖୋଜାଖୋଜି କଲେ, ଘର ବାହାରେ ଥିବା ଅଗଣାରୁ ମିଳିଲା ନାବାଳିକାର ଗଳିତ ମୃତଦେହ । ପଳାତକ ଅଭିଯୁକ୍ତ ହରେନ୍ଦ୍ରଙ୍କୁ ଗିରଫ କରିବା ପାଇଁ ଅନେକ ପୋଲିସ ଦଳ ପଠାଯାଇଥିଲା । ତେବେ ଅଭିଯୁକ୍ତଙ୍କୁ ହିମାଚଳ ପ୍ରଦେଶର ଶିମଲା ଠାରୁ ଗିରଫ କରାଯାଇଥିଲା ।
ଏସଏସପି ସନ୍ତୋଷ କୁମାର ସିଂ କହିଛନ୍ତି ଯେ ଯୁବକ ଜଣକ ପଚରାଉଚରା ବେଳେ ସ୍ୱୀକାର କରିଥିଲେ ଯେ ଘଟଣା ସମୟରେ ସେ ମଦ୍ୟପାନ କରିଥିଲେ । ଯେତେବେଳେ ନାବାଳିକା ଘରେ ପାଣି ପିଉଥିଲେ ତାଙ୍କ ମନ୍ଦ ଉଦ୍ଦେଶ୍ୟ ଜାଗ୍ରତ ହେଲା ଏବଂ ସେ ନାବାଳିକା ସହିତ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ପାଟି କରିବା ହେତୁ ତା ଗଳା ଦବେଇ ତାକୁ ହତ୍ୟା କରିଦେଲେ ଏବଂ ମୃତଦେହକୁ ଅଗଣାରେ ପୋତିଦେଲେ । ସୂଚନାଥାଉ ଯେ ଅଭିଯୁକ୍ତ ଯୁବକ ଦିଲ୍ଲୀରେ କାମ କରନ୍ତି ଏବଂ ଘଟଣାର ୩ ଦିନ ପୂର୍ବରୁ ହିଁ ସେ ଘରକୁ ଆସିଥିଲେ ।