ଦିନକୁ ଦିନ ପ୍ରେମ ଶବ୍ଦର ଅର୍ଥ କେବଳ ଦୈହିକ ସୁଖ ଭିତରେ ସୀମିତ ହେବାରେ ଲାଗିଛି । ସେପଟେ ନାବାଳିକାଙ୍କ ସହିତ ପ୍ରଥମେ ପ୍ରେମ ଏବଂ ପରେ ଶାରୀରିକ ସମ୍ପର୍କ ରଖିବା ଖବର ଏକ ସାଧାରଣ ଖବର ହୋଇଚାଲିଛି ରାଜ୍ୟରେ । ତେବେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ସେହିପରି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ, ତା ସହିତ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରେମିକା ଗର୍ଭବତୀ ହୋଇଥିଲା । ପ୍ରେମିକାର ଦୁଇ ଦୁଇ ଥର ଗର୍ଭପାତ କରାଇଲା ପରେ ବି ଯୁବକ ରଖି ଚାଲିଥିଲେ ଶାରୀରିକ ସମ୍ପର୍କ । ପରେ ପୁଣି ଦଲାଲ୍ ସାଜି ନାବାଳିକା ପ୍ରେମିକାକୁ ଦେହ ବ୍ୟବସାୟରେ ଲଗାଇ ଅର୍ଥ ଉପାର୍ଜନ ପାଇଁ ଯୋଜନା କରିଥିଲା ସଇତାନ୍ ପ୍ରେମିକ ।
ମିଳିଥିବା ସୂଚନା ଅନୁସାରେ କୁଚିଣ୍ଡା ଗଣବଳାତ୍କାର ଘଟଣା ପର୍ଦ୍ଦାଫାସ ହେବାର ୩ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସେଲବିରିସ୍ ହେରୋ (୨୪) ଗିରଫ ହେବା ପରେ ସାମ୍ନାକୁ ଆସିଛି ଏହି ଭୟଙ୍କର ତଥ୍ୟ । ଅଭିଯୁକ୍ତ ଜଣକ ଯୁଯୁମୁରା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ଘଟଣା ପରେ ପରିବାର ଲୋକେ ମଧ୍ୟ ବଳାତ୍କାର ପୀଡ଼ିତା ନାବାଳିକାଙ୍କ ହାତ ଛାଡ଼ିଦେଲେ ।

ପୋଲିସ ଶେଷରେ ଉକ୍ତ ପୀଡ଼ିତାକୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରାଇଲା, ଯାହା ପରେ ପୀଡ଼ିତାକୁ ଏକ ଆଶ୍ରମକୁ ପଠାଇ ଦିଆଯାଇଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ ବର୍ଷେ ତଳେ ଅଭିଯୁକ୍ତ ସେଲବିରିସ୍ ଏବଂ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । କିଛିଦିନ ପରେ ନାବାଳିକା ଗର୍ଭବତୀ ହେବାରୁ ତାର ଗର୍ଭପାତ କରାଇ ପୁଣି ଶାରୀରିକ ସମ୍ପର୍କ ରଖିଥିଲା ଅଭିଯୁକ୍ତ ସେଲବିରିସ୍ । ନାବାଳିକା ଦ୍ୱିତୀୟ ଥର ଗର୍ଭବତୀ ହେବା ପରେ ସେଲବିରିସ୍ ବାହା ହେବାକୁ ପ୍ରତିଶ୍ରୁତି ଦେଇଥିଲା । ଏହାପରେ ଘରୁ ନେଇ ଜାତିପଡ଼ାର ସୁଜାତା ସିଂ ପାଖରେ ଛାଡ଼ିଥିଲା, ଯେଉଁ ଘଟଣାକୁ ୪ ମାସ ବିତିଗଲାଣି । ଦୁଃଖର ବିଷୟ ଯେ ସେଠାରେ ପୁଣିଥରେ ନାବାଳିକାର ଗର୍ଭପାତ କରାଯାଇଥିଲା ।
ଏଥର ଗର୍ଭପାତ ପରେ ପ୍ରେମିକ ଅଭିଯୁକ୍ତ ପାଲଟି ସରିଥିଲା ଏବଂ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଘରୁ ଚାଲି ଆସିଥିବାରୁ କିଂ କର୍ତ୍ତବ୍ୟବିମୁଢ ହୋଇ ନାବାଳିକା ସୁଜାତାର କଥାରେ ପଡ଼ିବାକୁ ବାଧ୍ୟ ହୋଇଥିଲା । ପରେ ଏକ ବନ୍ଦ ଘରେ ନାବାଳିକାକୁ ରଖି ଦେହ ବ୍ୟବସାୟ ଆରମ୍ଭ ହୋଇ ଯାଇଥିଲା । ଜଣେ ହୋମ୍ଗାର୍ଡ ଦଲାଲ୍ ସାଜି ଗ୍ରାହକ ସ୍ଥିର କରିବା ପରେ ନାବାଳିକାକୁ ବଳାତ୍କାର କରାଯାଉଥିଲା । ତେବେ କୌଣସିମତେ ୫ ଦିନ ତଳେ ପୀଡ଼ିତା ନାବାଳିକା ସେଠାରୁ ଖସି ଯିବାକୁ ସମର୍ଥ ହୋଇଥିଲା ଏବଂ ବସଷ୍ଟାଣ୍ଡକୁ ଚାଲି ଆସିଥିଲା । ଲୋକେ ତାକୁ ଦେଖି ପୋଲିସକୁ ଖବର ଦେଇଥିଲେ ଏବଂ ଏହାପରେ ପୋଲିସ ସୁଜାତା ସମେତ ହୋମ୍ଗାର୍ଡ ଓ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀକୁ ଗିରଫ କରିଛି ।