ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ସାମ୍ନାକୁ ଆସିଛି ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ମୃତ୍ୟୁବେଳକୁ ମହିଳା ୫ ମାସର ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଛି । ମୃତକ ମହିଳାଙ୍କ ନାମ ସୁଚିସ୍ମିତା ଯିଏ ଜଣେ ଉଚ୍ଚ ଶିକ୍ଷିତା ସହିତ ଜଣେ କର୍ମଜୀବୀ ବି ଥିଲେ । ଶାଶୁଘର ଲୋକେ ତାଙ୍କୁ ପିଟିପିଟି ହତ୍ୟା କରି ପରେ ତାକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ବିଷ ପିଆଇଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୋଗରେ ଆହୁରି ମଧ୍ୟ କୁହାଯାଇଛି ଯେ ଯୌତୁକ ପାଇଁ ଲକ୍ଷାଧିକ ଟଙ୍କା ଦାବି କରି ସ୍ୱାମୀ ଓ ଶାଶୁଘର ଲୋକେ ସବୁବେଳେ ନିର୍ଯାତନା ଦେଇଆସୁଥିଲେ ଏବଂ ଶେଷରେ ହତ୍ୟା କରି ଦେଲେ ଆତ୍ମହତ୍ୟାର ରୂପ ।
ମିଳିଥିବା ସୂଚନା ଅନୁଯାୟୀ ବର୍ଷେ ୩ ମାସ ତଳେ ୨୦୧୯ ଡିସେମ୍ବରରେ ସୁଚିସ୍ମିତାଙ୍କ ବିବାହ ହୋଇଥିଲା ଯାଜପୁରର ସୁବୀର କୁମାର ମଲ୍ଲିକଙ୍କ ସହିତ । ବିବାହ ବେଳେ ଦାବି ମୁତାବକ ଟଙ୍କା ଏବଂ ସମସ୍ତ ଜିନିଷପତ୍ର ଦେଇଥିଲେ ସୁଚିସ୍ମିତାଙ୍କ ପରିବାର । ତଥାପି ବିଭିନ୍ନ ସମୟରେ ତାଙ୍କୁ ଲକ୍ଷାଧିକ ଟଙ୍କା ଆଣିବା ପାଇଁ ବାଧ୍ୟ କରାଯାଉଥିଲା । ସେଥିପାଇଁ ଶାରୀରିକ ଏବଂ ମାନସିକ ନିର୍ଯାତନା ବି ଦିଆଯାଉଥିଲା । ନିକଟରେ କଟକ ସିଡିଏରେ ଏକ ଜମି କିଣିବା ଲାଗି ବାପଘରୁ ୧୦ ଲକ୍ଷ ଟଙ୍କା ଆଣିବାକୁ କହି ସ୍ୱାମୀ ଓ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ । ଏମିତିକି କିଛିଦିନ ତଳେ ଦେଢ଼ ଲକ୍ଷ ଟଙ୍କା ଦେଇଥିବା କଥା କହିଛନ୍ତି ସୁଚିସ୍ମିତାଙ୍କ ବାପା ।

ଗତ ଡିସେମ୍ବର ମାସରେ ସୁଚିସ୍ମିତାଙ୍କ ନାକକୁ ବାଡ଼େଇ ରକ୍ତାକ୍ତ କରିବା ପରେ ମେଡ଼ିକାଲରେ ଚିକିତ୍ସା କରାଇଥିଲେ ଶାଶୁଘର ଲୋକେ । ତେବେ ପୁଣି ଏବେ କାନ ମୁଣ୍ଡାକୁ ପିଟି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ନେଇ ଅଭିଯୋଗ କରିଛନ୍ତି ମୃତକ ସୁଚିସ୍ମିତାଙ୍କ ପରିଜନ । ସେପଟେ ଅଭିଯୋଗକୁ ଭିତ୍ତି କରି ବାଲିଅନ୍ତା ପୋଲିସ ମୃତକଙ୍କ ସ୍ୱାମୀ ସୁବୀର ମଲ୍ଲିକଙ୍କୁ ଗିରଫ କରିଛି ଏବଂ ତଦନ୍ତ ଜାରି ରଖିଛି ।