ଓଡ଼ିଶା ପାଇଁ ସତର୍କ ଘଣ୍ଟି : ଗୋଟିଏ ଗାଁରୁ ଚିହ୍ନଟ ହେଲେ ଏକାବେଳକେ ୨୯ ଜଣ କରୋନା ପଜିଟିଭ୍

ଦେଶରେ ଫେରୁଛି କରୋନା ମାମଲା ବୃଦ୍ଧି । ଅନ୍ୟ ରାଜ୍ୟରେ କରୋନା ସ୍ଥିତିକୁ ନେଇ ରାଇଜ ମୁଖିଆମାନେ ନୂଆ ଗାଇଡ଼ଲାଇନ ନିର୍ଦ୍ଧାରଣ କରିଥିବା ବେଳେ ଓଡ଼ିଶା ରାଜ୍ୟରେ ସାମ୍ନାକୁ ଆସିଥିବା ଏହି ଖବର ଚିନ୍ତା ବଢାଇଛି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଗୋଟିଏ ଗାଁରୁ ୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ନେଇ ସିନାପାଲି ବିଡ଼ିଓ ନିଜେ ସୂଚନା ଦେଇଛନ୍ତି ।

ମିଳିଥିବା ଖବର ଅନୁସାରେ ବିଡ଼ିଓ କହିଛନ୍ତି ଯେ ଉକ୍ତ ଗାଁରୁ ସମୁଦାୟ ୫୬ ଜଣଙ୍କ ସାମ୍ପୁଲ ନିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ଏହି ଗାଁଟି ଛତିଶଗଡ଼ ସୀମାକୁ ଲାଗିଥିବାରୁ ହୁଏତ କରୋନା ସଂକ୍ରମଣ ବ୍ୟାପି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ତେବେ ଏ ମାମଲା ସାମ୍ନାକୁ ଆସିଲା ପରେ ସମ୍ପୃକ୍ତ ଗାଁର ବିଡ଼ିଓ ସ୍ଥିତିକୁ ଦେଖି ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ସ୍ପଷ୍ଟ କରିଛନ୍ତି । ଏମିତିକି ଗାଁର ଦୁଇ ପ୍ରବେଶ ପଥକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଏହାସହିତ ପୋଲିସ ମୁତୟନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାସହିତ ଆସନ୍ତାକାଲି ଗାଁର ସମସ୍ତ ବ୍ୟକ୍ତିଙ୍କ ଠାରୁ ସାମ୍ପୁଲ ସଂଗ୍ରହ କରାଯିବାକୁ ଯୋଜନା କରାଯାଇଛି ଏବଂ ଆସନ୍ତାକାଲି ହେବାକୁ ଥିବା ସାପ୍ତାହିକ ହାଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମିତିକି ସେଠାରେ ହେବାକୁ ଥିବା ଦୁଇଟି ବିବାହ ଉତ୍ସବ ବି ସ୍ଥଗିତ କରାଯାଇଛି ।

ସୂଚନାଥାଉ ଯେ ରିପୋର୍ଟ ଅନୁଯାୟୀ, ଗତକାଲି ଗୋଟିଏ ଦିନରେ ରାଜ୍ୟରୁ ୧୭୦ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ୨୭ ଜଣ । ହେଲେ ଆଜି କେବଳ ଗୋଟିଏ ଗାଁରୁ ୨୯ ଜଣ ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଥିଲା ବେଳେ ରାଜ୍ୟ ପାଇଁ ଏକ ସତର୍କ ଘଣ୍ଟି ।

Leave a Reply

Your email address will not be published. Required fields are marked *