ନୟାଗଡ଼ରେ ଲଜ୍ଜା । ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୈହିକ ସମ୍ପର୍କ ରଖିଥିଲେ ଯୁବକ । ଯେତେବେଳେ ଛାତ୍ରୀ ଜଣକ ୭ ମାସର ଗର୍ଭବତୀ ହେବା କଥା ସାମ୍ନାକୁ ଆସିଲା ପ୍ରେମିକ ଫେରାର୍ ହୋଇଯାଇଛି । ତେବେ ଏନେଇ ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନାରେ ଏତଲା ଦିଆଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ଖବର ମୁତାବକ ଗଣିଆ ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟରେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକା ଗତ ବର୍ଷ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । କୋଭିଡ଼ ଲକଡାଉନ ଫଳରେ ସେ ଘରକୁ ଯାଇଥିଲେ । ଘରେ ଥିଲାବେଳେ ଗେଣ୍ଡାଳୀ ଗାଁର ବୁଲୁ ମଳିକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଲା । ଏହାପରେ ବୁଲୁ ନାବାଳିକା ଜଣଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶରୀରୀକ ସମ୍ପର୍କ ରଖିଥିଲେ ଏବଂ ଦୀର୍ଘଦିନର ଛୁଟି ପରେ ସ୍କୁଲ ଖୋଲିଲା ବେଳକୁ ଛାତ୍ରୀ ଜଣଙ୍କ ସ୍କୁଲ୍କୁ ଫେରିଥିଲେ । ହେଲେ ସ୍କୁଲରେ ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପରେ ସେ ଗର୍ଭବତୀ ଥିବା ଘଟଣା ସାମ୍ନାକୁ ଆସିଲା ।
ଛାତ୍ରୀ ଜଣଙ୍କ ଅନ୍ତସତ୍ତ୍ଵା ହେବା ଜାଣିବା ପରେ ଆସାମୀ ବୁଲୁ ଅନ୍ୟ ରାଜ୍ୟକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୀଡ଼ିତାର ପରିବାର ଲୋକେ ଅଭିଯୋଗ କରିଛନ୍ତି ଏବଂ ଅଭିଯୋଗକୁ ଭିତ୍ତି କରି ସି.ଡବ୍ଲୁ.ସି. ପୀଡ଼ିତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ସି.ଡବ୍ଲୁ.ସି.ର ଅଭିଯୋଗ ପରେ ବାଣିଗୋଛା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।