ଗୋଟିଏ ପରିବାରର ୬ ଜଣ ସଦସ୍ୟ ଅଟକ : ନିଜ ନାବାଳିକା ଝିଅକୁ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ପୋଡ଼ିଦେଲେ ମୃତଦେହ

ପୁରୀ ଚନ୍ଦନପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲକର ଖବର । ତଳଜଙ୍ଗ ନଈକୂଳ ସାହିରେ ଜଣେ ନାବାଳିକାକୁ ମାରି ପୋଡ଼ିଦେଇ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ମୃତ ନାବାଳିକା ଜଣକ ଭାରତୀ ଜେନା (୧୭ ବର୍ଷ) ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଭାରତୀଙ୍କ ମୃତଦେହକୁ ପରିବାର ଲୋକେ ଲୁଚାଇ ପୋଡ଼ି ଦେଇଛନ୍ତି । ତେବେ ଏନେଇ ପୋଲିସ ତଦନ୍ତ କରୁଛି ।

ସୂଚନା ଅନୁସାରେ ନାବାଳିକା ଜଣକ ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପରିବାର ଏ ସମ୍ପର୍କକୁ ମଞ୍ଜୁରୀ ଦେଇ ନଥିବାବେଳେ ପରେ ଫେବୃୟାରୀ ୨୦ ତାରିଖରେ ଦୁହେଁ ଗାଁ ଛାଡ଼ି ପଳାଇଥିଲେ । ହେଲେ ଏହା ପରିବାର ଲୋକଙ୍କୁ ହଜମ ହେଲାନି । ଘରର ଝିଅ ମାନସମ୍ମାନ ପଦାରେ ପକାଇଲା ଭାବି ହିଂସ୍ର ହୋଇଯାଇଥିବା ପରିବାର ଲୋକେ । ପ୍ରତିଶୋଧ ରୂପକ ପରିବାର ଲୋକେ ତାଙ୍କୁ ଖୋଜି ସ୍ଥାନୀୟ ଏକ ଗାଁରୁ ଉଦ୍ଧାର କରି, ଘରକୁ ଫେରାଇ ଆଣିଥିଲେ ଭାରତୀକୁ ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଥାନାରେ ଏତଲା ଦିଆଯିବା ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଏହି ଘଟଣାକୁ ନେଇ ପରିବାର ଲୋକେ ଯୁବତୀଙ୍କୁ ମାରପିଟ୍ କରିବା ସହିତ ଅନେକ ନିର୍ଯାତନା ଦେଉଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ତେବେ ଗତ ଶନିବାର ଦିନ ପରିବାର ଲୋକେ ନାବାଳିକା ଭାରତୀକୁ ହତ୍ୟା କରି ପୋଡ଼ିବା ପରେ ତରବରିଆ ଭାବେ ପୋତି ଦେଇଥିବା ଜଣାଯାଇଛି । ଗାଁ ଲୋକେ ଏବଂ ମୃତଦେହ ପୋଡ଼ା ଯାଇଥିବା ପ୍ଲଟ୍ ମାଲିକ ଥାନାରେ ଅଭିଯୋଗ କରିବା ପରେ ଏସ୍‌ଡିପିଓ କିଶୋର ମୁଣ୍ଡଙ୍କ ତତ୍ତ୍ୱାବଧାନରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ମାଟି ଖୋଳି ହାଡ଼ ଉଦ୍ଧାର କରାଯାଇଛି । ଆବଶ୍ୟକ ପଡ଼ିଲେ ଜବତ ହାଡ଼ର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *