ପୋଲିସ ବିରୋଧରେ ସଙ୍ଗୀନ୍ ଅଭିଯୋଗ : ହାତ ଧରି ରୁମ୍ ଭିତରକୁ ଟାଣିନେଲେ, ଛୁଇଁଲେ ସମ୍ବେଦନଶୀଳ ଅଙ୍ଗ ଆଉ ତା’ପରେ …

‘ତୁମ ସ୍ୱାମୀ ଘରେ ରୁହନ୍ତି ନା ପଦାରେ ? ତୁମେ ମୋ କଥା ବୁଝିଦେଲେ, ମୁଁ ତୁମ କଥା ବୁଝିଦେବି । ଏଭଳି ଅନେକ କଥା କହିଲା ପରେ ମହିଳାଙ୍କ ହାତ ଧରି ଟାଣିନେଲେ ରୁମକୁ, ଛୁଇଁଲେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗ । ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଅନ୍ତର୍ଗତ ମଙ୍ଗଳପୁର ଥାନାରେ । ଜନୈକା ମହିଳା ଜିଲ୍ଲା ପୋଲିସ ଅଧୀକ୍ଷକ ପି. ଆର୍. ରାହୁଲଙ୍କ ନିକଟରେ ଏହି ସଙ୍ଗୀନ ଅଭିଯୋଗ ନେଇ ପହଞ୍ଚିଥିଲେ । ତେବେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ୍‌ ।

ଏସ୍‌ପିଙ୍କ ନିର୍ଦ୍ଦେଶ ପାଇ ଅତିରିକ୍ତ ପୋଲିସ ଅଧୀକ୍ଷକ ବାଉରିବନ୍ଧୁ ବେହେରା, ମଙ୍ଗଳପୁର ଥାନାଧିକାରୀ ଅସିତ୍‌ ରଞ୍ଜନ ମହାନ୍ତି ଏବଂ ଜଣେ ମହିଳା ପୋଲିସ୍‌ ଅଧିକାରିଣୀ ଶୁକ୍ରବାର ସନ୍ଧ୍ୟା ୬ଟାରେ ଝୁମ୍ପୁରୀ ବିଟ୍‌ ହାଉସରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମହିଳାଙ୍କ ଘରେ ପହଞ୍ଚି ଅଭିଯୋଗ ସମ୍ପର୍କରେ ତଦନ୍ତ କରାଯାଇଥିବା ମଧ୍ୟ ସୂଚନା ମିଳିଛି । ଜଣେ ମହିଳାଙ୍କୁ ପୋଲିସ‌ ଅଧିକାରୀଙ୍କ ଏପରି ଅଶାଳୀନ ମନ୍ତବ୍ୟ ଏବଂ ବ୍ୟବହାର ସମୁଦାୟ ପୋଲିସ ମହଲରେ ଚିନ୍ତା ବଢାଇଛି । ତେବେ ଏସ୍‌ପିଙ୍କ ନିର୍ଦ୍ଦେଶାନୁସାରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ବିଟ୍‌ ହାଉସ୍‌ ଓ ଅଭିଯୋଗ କରିଥିବା ମହିଳାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଖବର ମୁତାବକ ମହିଳା ଜଣକ ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଝୁମ୍ପୁରୀ ବିଟ୍‌ ହାଉସ୍‌ ଅଧୀନସ୍ଥ କଟିକଟା ଅଞ୍ଚଳର ବାସିନ୍ଦା ଯିଏ କି ନିଜର ଜମିଜମା ବିବାଦ ନେଇ ଅଭିଯୁକ୍ତ ପୋଲିସ ଅଧିକାରୀ ନିକଟକୁ ଯାଇଥିଲେ । ଗତ ମାର୍ଚ୍ଚ ୧୬ ରେ ଝୁମ୍ପରୀ ବିଟ୍‌ ହାଉସ୍‌ ଅଧିକାରୀ ବିଜୟ କୁମାର ସ୍ୱାଇଁଙ୍କ ଦ୍ଵାରସ୍ଥ ହୋଇ ମହିଳା ସବୁ କଥା କହିଥିଲେ । ହେଲେ ହଠାତ୍ ମହିଳାଙ୍କ ସହିତ ଆସିଥିବା ସଂପର୍କୀୟଙ୍କୁ ବାହାରେ ଅପେକ୍ଷା କରିବାକୁ କହି ଅଭିଯୁକ୍ତ ଶ୍ରୀ ସ୍ୱାଇଁ ମହିଳାଙ୍କ ସହିତ ଆଲୋଚନା ଜାରି ରଖିଲେ ଏବଂ ଉକ୍ତ ଆଲୋଚନା ଅଭିଯୋଗ ସଂପର୍କିତ ନହୋଇ ନିଜର ଯୌନ କାମନା ଚରିତାର୍ଥ ପାଇଁ ଥିଲା, ମହିଳାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ ଥିଲା ବୋଲି ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *