ଦେଶର ରାଜଧାନୀ ଦିଲ୍ଲୀର ନବୀ କରିମ ଥାନା ଅଧୀନରେ ଥିବା ଏକ ହୋଟେଲ ରୁମ ଭିତରେ ଜଣେ ମହିଳା ଏବଂ ତାଙ୍କ ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାଟି ମଙ୍ଗଳବାର ଅପରାହ୍ନରେ ଘଟିଥିବା ବେଳେ ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ ଉଦ୍ଧାର କରିଛି ।
ପୋଲିସ କହିବାନୁସାରେ ମଙ୍ଗଳବାର ରାତି ପ୍ରାୟ ସାଢେ ୩ ଟା ବେଳେ ପୋଲିସ ଏକ କଲ ପାଇଥିଲେ ଯେ ନବୀ କରିମ ଅଞ୍ଚଳର ଏକ ହୋଟେଲ କୋଠରୀ ଭିତରେ ଜଣେ ମହିଳା ଏବଂ ଜଣେ ପୁରୁଷ ନିଜକୁ ଫାଶୀରେ ଝୁଲାଇ ଦେଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ତେବେ ପ୍ରେମୀ ଯୁଗଳ ଏକ ସୁଇସାଇଡ଼ ନୋଟ ଛାଡିଛନ୍ତି ଯେଉଁଥିରେ ସେମାନେ ଲେଖିଛନ୍ତି ଯେ ସେମାନେ ପରସ୍ପରକୁ ଭଲପାଆନ୍ତି । କିନ୍ତୁ ଯୁବତୀଙ୍କ ପରିବାର ତାଙ୍କ ବିବାହକୁ ଅନ୍ୟତ୍ର ସ୍ଥିର କରିଥିଲେ, ଅନ୍ୟ ଜଣେ ପୁରୁଷ ସହିତ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ ।

ମୃତ ଯୁବତୀ ଜଣକ ସାରିକା ଏବଂ ସେ ସୁଲତାନୀପୁରୀ ବାସିନ୍ଦା ଯେତେବେଳେ କି ଯୁବକ ଜଣଙ୍କ ନାଁ ଥିଲା ବିକାଶ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ସୂଚନାଥାଉ ଯେ ଏହିଭଳି ଘଟଣା ଘଟିଥିଲା ଉତ୍ତରପ୍ରଦେଶର ପିଲିବିଟ୍ ଜିଲ୍ଲାର ଏକ ଗାଁରେ । ୧୬ ବର୍ଷର ନାବାଳିକା ଏବଂ ତାଙ୍କର ୧୮ ବର୍ଷର ପ୍ରେମିକ ନିଜ ଜୀବନ ଶେଷ କରି ଦେଇଥିଲେ । ପରିବାର ଲୋକେ ସେମାନଙ୍କ ବିବାହକୁ ସମ୍ମତି ଦେବାକୁ ମନା କରିବାପରେ ଦୁହେଁ ଏହି ଚରମ ପଦକ୍ଷେପ ନେଇଥିଲେ ।