କରୋନାର ଦ୍ୱିତୀୟ ଲହର ଦେଶରେ ସବୁ ରାଜ୍ୟକୁ ସଜାଗ କରାଇ ଦେଲାଣି । ଏହି କ୍ରମରେ ଓଡ଼ିଶା ସରକାର ମଧ୍ୟ ଏନେଇ କଟକଣା କଡ଼ାକଡ଼ି କଲାଣି । କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ ଗାଇଡ଼ଲାଇନ ଜାରି କରିଥିବା ବେଳେ ନୂଆ ଗାଇଡ଼ଲାଇନରେ SRC ରାଜ୍ୟକୁ ପ୍ରବେଶ ଉପରେ କଟକଣାକୁ କଡ଼ାକଡ଼ି କରିଛନ୍ତି । ଏଣିକି ଓଡ଼ିଶା ଆସିବାକୁ ହେଲେ ଜଣଙ୍କୁ ନେବାକୁ ହେବ କରୋନାର ଡବଲ ଡୋଜ୍ ।
ମିଳିଥିବା ସୂଚନା ଅନୁସାରେ SRC ଜାରି କରିଥିବା ନୂଆ ଗାଇଡ଼ଲାଇନ ଅନୁସାରେ ଓଡ଼ିଶା ଆସିବାକୁ ହେଲେ ବ୍ୟକ୍ତିଙ୍କ ପାଖରେ କୋଭିଡ଼-୧୯ ର ନେଗେଟିଭ୍ ରିପୋର୍ଟ ଥିବା ବାଧ୍ୟତାମୂଳକ । ବସ, ଟ୍ରେନ କିମ୍ବା ବିମାନ, ଯେଉଁ ପଥରେ ବି ଆସନ୍ତୁ ନା କାହିଁକି ରାଜ୍ୟକୁ ପ୍ରବେଶ କରିବାକୁ ହେଲେ ଯାତ୍ରୀଙ୍କ ନିକଟରେ ନେଗେଟିଭ୍ ରିପୋର୍ଟ ନିହାତି ଥିବା ଦରକାର । ଏହାସହିତ ଓଡ଼ିଶା ଆସିବାର ୭୨ ଘଣ୍ଟା ଭିତରେ RTPCR ନେଗେଟିଭ ଥିବା ବାହାର କରିବା ଜରୁରୀ ।

ଯଦି ବା ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଖରେ କରୋନାର ନେଗେଟିଭ୍ ରିପୋର୍ଟ ନଥିବ, ତେବେ ସେମାନଙ୍କୁ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ସେପଟେ ସୁନ୍ଦରଗଡ଼, ଝାରସୁଗୁଡ଼ା ସମେତ ମୋଟ ୧୬ ଗୋଟି ଜିଲ୍ଲାରେ ଅସ୍ଥାୟୀ ମେଡ଼ିକାଲ ସେଣ୍ଟର କରିବାକୁ ଜିଲ୍ଲାପାଳଙ୍କୁ SRC ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଥାଉ ଯେ ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛି ୮୭୯ ଟି କରୋନା ମାମଲା । କ୍ୱାରେଣ୍ଟାଇନରୁ ୫୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୬୧ । ଏହାସହିତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ଜଣ ଚିହ୍ନଟ ହୋଇଥିଲା ବେଳେ ସୁନ୍ଦରଗଡ଼ରୁ ୧୧୮ ଟା ମାମଲା ସାମ୍ନାକୁ ଆସିଛି ।