ଭୁବନେଶ୍ୱର : ଓଡ଼ିଆ ସିନେଜଗତର ପ୍ରଖ୍ୟାତ ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପତ୍ନୀ ତନ୍ଦ୍ରା ରାୟଙ୍କ କହିବାନୁଯାୟୀ ବିଜୟ ମହାନ୍ତି ମେଡ଼ିକାଲ ଚେକଅପ ପାଇଁ ହସ୍ପିଟାଲ ଯାଇଥିଲେ ଓ ସେଠାରେ ଅଚାନକ ତାଙ୍କର ହୃଦଘାତ ହୋଇଥିଲା । ଫଳରେ ଗତକାଲିଠାରୁ ସେ ଆଇସିୟୁରେ ଅଛନ୍ତି ।
ପତ୍ନୀ ତନ୍ଦ୍ରା ରାୟଙ୍କ ପୂର୍ବରୁ ସିନେ କଳାକାର ଶ୍ରୀତମ ଦାସ ମଧ୍ୟ ବିଜୟ ମହାନ୍ତିଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଥିଲେ ଓ କହିଥିଲେ ଗତ ୩-୪ ମାସ ହେବ ସେ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ । ତାଙ୍କର ଗୋଟିଏ ଛୋଟିଆ ଅପରେସନ୍ ମଧ୍ୟ ହୋଇଥିଲା ଓ ସେ ସୁସ୍ଥ ହୋଇଥିଲେ । ମାତ୍ର ମଇ ୨୫ ତାରିଖ ଦିନ ଅସୁସ୍ଥ ଅନୁଭବ କରିବାରୁ ସେ ଚେକଅପ ପାଇଁ ହସ୍ପିଟାଲ୍ ଯାଇଥିଲେ ହେଲେ ହଠାତ୍ ହୃଦଘାତ ଯୋଗୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ବିଜୟ ମହାନ୍ତି ୧୫୦ ରୁ ଉର୍ଦ୍ଧ୍ଵ ଓଡ଼ିଆ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସଫଳତା ଲାଭ କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ “ଜୟଦେବ ପୁରସ୍କାର”ରେ ସମ୍ମାନିତ ହେଇଛନ୍ତି ସେ । ଯଦିଓ ସେ ହାରି ଯାଇଥିଲେ ତଥାପି ୨୦୧୪ ରେ ସେ କଂଗ୍ରେସରେ ଯୋଗ ଦେଇ ଭୁବନେଶ୍ଵର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ।