ଆମେ ଜାଣିବାରେ ଯେକୌଣସି ରେଷ୍ଟୁରାଣ୍ଟରେ ଭଲ ସେବା ଦେଲେ ଲୋକେ ଖାଇ ସାରିଲା ପରେ ସେବା ଯୋଗାଉଥିବା ବ୍ୟକ୍ତିଙ୍କୁ ଏକ ଅତିରିକ୍ତ ଟିପ୍ସ ଦିଅନ୍ତି । ଯଦି ସେବାଟି ଭଲ ନଥାଏ, ତେବେ ନିଯୁକ୍ତିଦାତାଙ୍କୁ ତାଗିଦ କରା ଯାଇଥାଏ । କିନ୍ତୁ ତାମିଲନାଡୁର ଚେନ୍ନାଇରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଦୁଇ ଜଣ ଯୁବକ ସର୍ବସମ୍ମତି କ୍ରମେ ରେଷ୍ଟୁରାଣ୍ଟରେ ଅର୍ଡର ହୋଇଥିବା ଖାଦ୍ୟ ବିଳମ୍ବରେ ଅଣାଯାଇଥିବା ଯୋଗୁ ରେଷ୍ଟୁରାଣ୍ଟ ମାଲିକଙ୍କ କାନ କାଟି ଦେଇଥିଲେ ସେମାନେ ।
ଘଟଣାଟି ଏହିପରି । ଅରୁଣ କୁମାର ଏବଂ ଶିବ ନାମକ ଦୁଇ ଜଣ ଯୁବକ ଫିଲ୍ମ ଦେଖିବା ପାଇଁ ଭେଲିପାଲୟାମର ଏକ ଥିଏଟରକୁ ଯାଇଥିଲେ । ଫିଲ୍ମ ଆରମ୍ଭ ହେବାକୁ କିଛି ସମୟ ଥିବାରୁ ସେମାନେ ଥିଏଟର ନିକଟସ୍ଥ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ଏହି ସମୟରେ ରେଷ୍ଟୁରାଣ୍ଟର ସପ୍ଲାଏର ଆଉ ଗୋଟିଏ ଟେବୁଲରେ ବସିଥିବା ଲୋକଙ୍କୁ ଖାଇବା ଦେଉଥିଲେ । ଫଳରେ ଅରୁଣ ଏବଂ ଶିବଙ୍କୁ ଖାଇବା ଦେବାରେ ସାମାନ୍ୟ ବିଳମ୍ବ ହୋଇଥିଲା । ମାତ୍ର ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ରେଷ୍ଟୁରାଣ୍ଟ ମାଲିକ ସହିତ ଯୁକ୍ତିତର୍କ କରିଥିଲେ । କ୍ରମେ ଏହି ବିବାଦ ମାରପିଟ ଆଡ଼କୁ ଗଲା ।
ଏହାପରେ ଉତକ୍ଷିପ୍ତ ଅରୁଣ ଏବଂ ଶିବ ନିଜ ପାଖରେ ରଖିଥିବା ଏକ ଧାରୁଆ ଅସ୍ତ୍ରରେ ରେଷ୍ଟୁରାଣ୍ଟ ମାଲିକଙ୍କ କାନ କାଟି ଦେଇଥିଲେ । ଘଟଣା ପରେ ପୀଡ଼ିତ ରେଷ୍ଟୁରାଣ୍ଟ ମାଲିକଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା । ସେପଟେ ଖବର ପାଇ ପୋଲିସ ମଧ୍ୟ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ତଦନ୍ତ ଆରମ୍ଭ କରିଦେଇଥିଲା । ହେଲେ ସେତେବେଳକୁ ଅରୁଣ ଏବଂ ଶିବ ଫେରାର ହୋଇଯାଇଥିଲେ ।
ପୋଲିସ କହିବାନୁସାରେ ଅନ୍ୟ ଥାନାରେ ଉଭୟ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ଏମିତିକି ଉଭୟଙ୍କ ଉପରେ ଧାଡି ସିଟ୍ ମଧ୍ୟ ରହିଥିଲା ।