କରୋନାର ଦ୍ଵିତୀୟ ଲହର ଦେଶବ୍ୟାପି ଆତଙ୍କ ସୃଷ୍ଟି କଲାଣି । ତୀବ୍ର ଗତିରେ ସଂକ୍ରମଣ ବଢି ଚାଲିଥିବା ବେଳେ କରୋନା ମହାମାରୀ ଆରମ୍ଭରୁ ଲୋକଙ୍କୁ ସଚେତନ କରାଉଥିବା ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଡାକ୍ତର ହେଲେ କରୋନା ଶିକାର । ଡା. ଦିଲ୍ଲୀପ ଷଡ଼ଙ୍ଗୀ ଟିକା ନେବାର ପ୍ରାୟ ଦୁଇ ମାସ ପରେ ସେ କରୋନା ସଂକ୍ରମିତ ହୋଇଥିଲେ । ସବୁଠାରୁ ବଡ଼ କଥା ତ ଏଇଆ ଜେ କରୋନା ଯୋଦ୍ଧା ଭାବେ ପ୍ରଥମ ପର୍ଯ୍ୟାୟରେ ଟିକାର ଦୁଇଟି ଯାକ ଡୋଜ ନେଲାପରେ ବି ସେ ବର୍ତ୍ତି ପାରିନଥିଲେ କରୋନା ଆକ୍ରମଣରୁ । କାରଣ ଥିଲା ଚିକିତ୍ସା ଅଭାବ । ତେବେ ସଂକ୍ରମଣର ୫ ଦିନ ପରେ ଶନିବାର ଦିନ ସବୁଦିନ ପାଇଁ ଆଖି ବୁଜିଛନ୍ତି ଡା. ଷଡ଼ଙ୍ଗୀ ।
ଘଟଣାଟି ଘଟିଛି ବଲାଙ୍ଗିର ସହରରେ । କରୋନାର ଦ୍ଵିତୀୟ ଲହର ଆରମ୍ଭ ହେବା ପରଠୁ ବଲାଙ୍ଗିରରେ କୋଭିଡ଼ ହସ୍ପିଟାଲଗୁଡ଼ିକ ପୁନଃ-କାର୍ଯ୍ୟକ୍ଷମ ହୋଇନାହିଁ । ଫଳରେ ସଂକ୍ରମିତ ହେବାପରେ ଡା. ଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପଡ଼ିଥିଲା । ଘରେ ୪ ଦିନ ରହିବାପରେ ପରେ ସେ ଅସୁସ୍ଥ ଅନୁଭବ କରିବାରୁ ଶୁକ୍ରବାର ଅପରାହ୍ନରେ ବରଗଡ଼ର ଏକ ଘରୋଇ ହସ୍ପିଟାଲ ଯାଇଥିଲେ । ମାତ୍ର ସେଠାରେ ଆଇସିୟୁ, ଭେଣ୍ଟିଲେଟର କିମ୍ବା ଅକ୍ସିଜେନ କିଛି ବି ମିଳି ନଥିଲା ଏବଂ ଚିକିତ୍ସା ନକରି ସେଠାରୁ ତାଙ୍କୁ ଫେରାଇ ଦିଆଗଲା । ଏହାପରେ ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ନିଆଯାଉଥିଲା ହେଲେ ବାଟରେ ବୌଦ୍ଧ ଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ସୂଚନାଥାଉ ଯେ ମୃତ କରୋନା ଯୋଦ୍ଧା ଡା. ଷଡଙ୍ଗୀ ବଲାଙ୍ଗିର ସାଗରପଡ଼ା ବାସିନ୍ଦା ଥିଲେ ଏବଂ ଚାକିରି କାଳର ସବୁ ସମୟ ଦୁର୍ଗମ ଅଞ୍ଚଳରେ ବିତାଇଥିଲେ । ବଲାଙ୍ଗିର, କଳାହାଣ୍ଡି ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରୋଗୀ ସେବା କରି ସେ ଚର୍ଚ୍ଚାରେ ରହିଥିଲେ । ତାଙ୍କର ପ୍ରଥମ ପୋଷ୍ଟିଂ ୨୦୦୦ ମସିହାରେ କଳାହାଣ୍ଡି ଜିଲ୍ଲାର ଏମ.ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ ଉର୍ଲାଦାନୀରେ ହୋଇଥିଲା । ଜଣେ ଭିନ୍ନକ୍ଷମ ହେବା ସତ୍ତ୍ୱେ ନିଜ ସୁବିଧା ପାଇଁ ସେ କେବେହେଲେ ସହରକୁ ଆସିବାକୁ ଚାହିଁ ନଥିଲେ ।
ତେବେ ମୃତ ଡା. ଷଡଙ୍ଗୀଙ୍କ ପରିବାରରେ ତାଙ୍କ ପତ୍ନୀ ସମେତ ଦୁଇ ଝିଅ ଅଛନ୍ତି । ଭୁବନେଶ୍ୱର ଯାଉଥିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିବାରୁ ବୌଦ୍ଧରୁ ତାଙ୍କୁ ଫେରାଇ ନିଆଯାଇଥିଲା । ଖବର ପାଇ ଭୁବନେଶ୍ୱରରେ ପଢୁଥିବା ତାଙ୍କ ବଡ଼ ଝିଅ ଆସିଥିଲେ । ରାତି ପ୍ରାୟ ସାଢେ ୧୦ ଟା ବେଳେ ସ୍ଥାନୀୟ ଟିଟିଲାଗଡ଼ ରୋଡ଼ ନିକଟରେ ଥିବା ସ୍ୱର୍ଗଦ୍ୱାରରେ ମୁଖାଗ୍ନି ଦେଇ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରିଥିଲେ ।