ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗାଁରେ ଗଜେନ୍ଦ୍ର ଦାସଙ୍କ ଝିଅ ବର୍ଷା ଦାସ ସହିତ ଭଦ୍ରକ ଜିଲ୍ଲାର ରାଧାକାନ୍ତ ଜେନାଙ୍କ ପୁଅ ଆଲୋକ ଜେନାଙ୍କ ବିବାହ ସ୍ଥିର ହୋଇଥିଲା । ୪ ମାସ ତଳେ ରିଙ୍ଗ୍ ସେରମନି ସରିଥିଲେ ହେଁ ଅଧିକ ଯୌତୁକ ଟଙ୍କା ଏବଂ ଭଲ ବ୍ରାଣ୍ଡର ଜିନିଷ ଦେବା ପାଇଁ ଦାବି କରୁଥିଲେ ବରପକ୍ଷ ଲୋକ । ତେଣୁ ବିବାହ ତାରିଖ ବି ବାରମ୍ବାର ଘୁଞ୍ଚାଇ ଆସୁଥିଲେ । ତେବେ ମଇ ୧୨ ତାରିଖ ଦିନ ବିବାହ ହୋଇଥାନ୍ତା ହେଲେ ସୋମବାର ଦିନ ଆଲୋକ କନ୍ୟା ଘରକୁ ଆସିଥିଲେ । ବିଳମ୍ବିତ ରାତିରେ ବର୍ଷା ଏବଂ ଆଲୋକଙ୍କ ମଧ୍ୟରେ ଯୌତୁକ ନେଇ ଆଲୋଚନା ହୋଇଥିଲା ଏବଂ ଉଭୟଙ୍କ ମଧ୍ୟରେ ଝଗଡ଼ା ବି ହୋଇଥିଲା । ହେଲେ ଆଲୋକ ଉତକ୍ଷିପ୍ତ ହୋଇ ବର୍ଷାକୁ ମାରି ଦେଇଥିବା କନ୍ୟା ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ଘଟଣାର ଅଭିଯୁକ୍ତ କୁହାଯାଉଥିବା ଆଲୋକ ଜେନାଙ୍କୁ ସିମୁଳିଆ ପୋଲିସ ଗୁରୁବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅଭିଯୁକ୍ତ ଆଲୋକ ବିରୋଧରେ ଥିବା ଅଭିଯୋଗ ଅନୁଯାୟୀ, ଗତ ୧୯ ତାରିଖ ଦିନ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ବର୍ଷାଙ୍କ ଘରକୁ ଆସିଥିଲେ ଆଲୋକ । କିଛି ସମୟ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା କରିଥିଲେ । ଏହାପରେ ଚୁନୁରୀ ସାହାଯ୍ୟରେ ବର୍ଷାକୁ ହତ୍ୟା କରିଥିଲେଆଲୋକ । ଘଟଣା ପରେ ପରିବାର ଲୋକଙ୍କୁ ଡାକିଥିଲେ ଏବଂ ନିଜେ ପରିବାର ସହ ମିଶି ବର୍ଷାକୁ ସିମୁଳିଆ ଡାକ୍ତରଖାନାକୁ ବି ନେଇଥିଲେ । ହେଲେ ସେଠାରେ ଡାକ୍ତର ବର୍ଷାଙ୍କୁ ମୃତ ଘୋଷଣା କରିବା ପରେ ଆଲୋକ ଡାକ୍ତରଖାନାରୁ ଫେରାର ହୋଇ ଯାଇଥିଲେ ।
ସୂଚନା ମୁତାବକ ଗତକାଲି ସକାଳେ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏନେଇ ଥାନା କେସ ନଂ. ୮/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ବର୍ଷାଙ୍କ ବାପା ଗଜେନ୍ଦ୍ର ଥାନାରେ ଝିଅକୁ ଆଲୋକ ହତ୍ୟା କରିଥିବା ଅଭିଯୋଗ କରିବା ପରେ ପୋଲିସ କେସ ନଂ. ୯୯/୨୧ରେ ହତ୍ୟା ମାମଲା ରୁଜୁ କରିଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ଫେରାର ଥିବା ଅଭିଯୁକ୍ତ ବୋଲାଇଥିବା ଆଲୋକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ଆଲୋକ କହିବାନୁସାରେ ବର୍ଷା ଆତ୍ମହତ୍ୟା କରିଥିଲେ, ବରଂ ମୁଁ ତାକୁ ତୁରନ୍ତ ହସ୍ପିଟାଲ ନେଲି । ଉଭୟ ପକ୍ଷଙ୍କ ଭିନ୍ନ ଭିନ୍ନ ବୟାନରେ ନିରପେକ୍ଷ ତଦନ୍ତ କରିବା ପାଇଁ ପୋଲିସ ପ୍ରୟାସ କରୁଛି ।