ନୋଡିଙ୍କୁ ମାତ୍ର ୧୪ ବର୍ଷ ବୟସର ଥିଲା ଯେତେବେଳେ ତାକୁ ବେଶ୍ୟାବୃତ୍ତି ଭିତରକୁ ଠେଲି ଦିଆଯାଇଥିଲା । ବିବାହିତ ଓ ଗୋଟିଏ ଛୁଆର ମାଆ ନିଜ ସ୍ଵାମୀକୁ ଖୋଜିବାକୁ ବାହାରିଥିଲା । ସ୍ଵାମୀ ତାର ବାଂଲାଦେଶର ଜଣେ ଜଣାଶୁଣା ଜୁଆଡ଼ି ଥିଲା । ଏକୁଟିଆ ସ୍ତ୍ରୀଟିକୁ ଜଣେ ଡ୍ରାଇଭର ସାହାଯ୍ୟ କରିବା ବାହାନାରେ ଦୁନିଆର ସର୍ବବୃହତ ଯୌନକର୍ମୀ ବାଂଲାଦେଶର ଦୌଲତଦିଆ ବସ୍ତିରେ ବିକ୍ରି କରିଦେଲା ।
ନୋଡିଙ୍କ କହିବାନୁଯାୟୀ ସେ ଡ୍ରାଇଭର ତାକୁ ଧୋକା ଦେଲା ଓ ବେଶ୍ୟାବୃତ୍ତିରେ ଫସି ଗଲେ । ଥରେ ସ୍ୱାମୀ ଏବଂ ପରିବାର ଲୋକେ ତାଙ୍କୁ ଖୋଜି ପାଇ ମଧ୍ୟ ଯାଇଥିଲେ କିନ୍ତୁ ଯୌନକର୍ମୀ କଳଙ୍କ ଲାଗିଲା ପରେ ସାଙ୍ଗରେ ନେବାକୁ ପ୍ରସ୍ତୁତ ନଥିଲେ । ପ୍ରାୟ ୧୦ ବର୍ଷ ଯାଏଁ ନିଜ ଦେହ ବିକ୍ରି କରିବା ପରେ ତାଙ୍କୁ ସେ ସ୍ଥାନରୁ ମୁକ୍ତି ମିଳିଲା ସତ କିନ୍ତୁ ତାହା ଥିଲା ଅନ୍ୟତ୍ର ବିକ୍ରି ହେବା ।
ଏବେ ପୁଣି ଲକଡାଉନ ଯୋଗୁ ସେହି ନୋଡି ଆଜି ଭୋକ ସାଙ୍ଗରେ ସଂଘର୍ଷ କରୁଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୨୫ ବର୍ଷ । କରୋନା ଭୟରେ ବେପାର ଓ ପରିବହନ ସବୁ ବନ୍ଦ । ଯେଉଁଠି ୨୦୦୦ ମସିହାରେ ବେଶ୍ୟାବୃତ୍ତିକୁ ସରକାରୀ ଅନୁମୋଦନ ମିଳିଥିଲା ତାକୁ ଏବେ ବି ଲୋକେ ଖରାପ ନଜରରେ ଦେଖନ୍ତି । ସେ ଯାହାହେଉ ଲକଡାଉନ କଟକଣା ଯୋଗୁ ବେଶ୍ୟାବୃତ୍ତି ବନ୍ଦ ରହିଛି ।

ବାଂଲାଦେଶୀ ଚ୍ୟାରିଟି ମୁକ୍ତି ମହିଳା ସମିତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମୋରେଜିନା ବେଗମ୍ କହିଛନ୍ତି ଯେ କୌଣସି ଗ୍ରାହକଙ୍କୁ ବେଶ୍ୟାଳୟ ଯିବାକୁ ଅନୁମତି ନାହିଁ ଯେତେବେଳେ ଦୈନିକ ୩୦୦୦ ଗ୍ରାହକ ସେଠାକୁ ଆସୁଥିଲେ । ବର୍ତ୍ତମାନ ଯୌନ କର୍ମଚାରୀଙ୍କ ରୋଜଗାରର କୌଣସି ମାଧ୍ୟମ ନାହିଁ । ବେଗମ୍ କହିଛନ୍ତି ଯେ ସରକାର, ପୋଲିସ, ସ୍ଥାନୀୟ NGO ସମେତ ତାଙ୍କ ସଂଗଠନ ଏହି ମହିଳାମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ଚେଷ୍ଟା କରୁଛି । କିନ୍ତୁ ବେଶ୍ୟାଳୟରେ ରହୁଥିବା ଅନେକ ମହିଳାଙ୍କ କହିବାନୁଯାୟୀ ଏତିକି ସାହାଯ୍ୟ ପର୍ଯ୍ୟାପ୍ତ ନୁହେଁ ।
୧୨ ଏକର ଜାଗାରେ ପ୍ରାୟ ୧୫୦୦ ମହିଳା ଫସି ରହିଛନ୍ତି । ଝୁମ୍ପୁଡ଼ି, ସଂକୀର୍ଣ୍ଣ ରାସ୍ତା, ଛୋଟ ଦୋକାନ ଏବଂ ଖୋଲା ନାଳ ଦ୍ୱାରା ଘେରିରହିଛି ସେ ସ୍ଥାନ ଯେଉଁଠୁ ଦୁର୍ଗନ୍ଧ ଆସେ । ୟା ଭିତରେ ଅନେକ ଗର୍ଭବତୀ ମହିଳା ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି । ଗବେଷକଙ୍କ ରିପୋର୍ଟ ଅନୁଯାୟୀ ଏଠାରେ ରହୁଥିବା ପ୍ରାୟ ୫୦୦ ପିଲାଙ୍କ ମଧ୍ୟରୁ ପ୍ରାୟ ୩୦୦ ପିଲା ୬ ବର୍ଷରୁ କମ୍ ବୟସର ।
ନୋଡି କହିଛନ୍ତି ଯେ ସେମାନଙ୍କ ପାଖରେ ଖାଇବା ଜିନିଷ ବି ନାହିଁ । ଯଦି ଏସବୁ ଏମିତି ଜାରି ରୁହେ ତେବେ ଏଠାକାର ପିଲାମାନେ ଭୋକରେ ମରିବେ । କିଛି ମହିଳା ନିଜ ପିଲାଙ୍କୁ ସମ୍ପର୍କୀୟ କିମ୍ବା ଦାନ ଆଶ୍ରୟସ୍ଥଳକୁ ପଠାଇ ଦେଇଛନ୍ତି ।