ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ …

ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି । ଆଜି ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲାବେଳେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ବିୟୋଗ ଘଟିଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ସୂଚନା ଅନୁସାରେ ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ ଚିକତ୍ସାଧୀନ ଅବସ୍ଥାରେ ହିଁ ସବୁଦିନ ପାଇଁ ଆଖି ବୁଜିଲେ ।

୨୦୦୧ ରେ ପଦ୍ମଶ୍ରୀ ଏବଂ ୨୦୨୦ ରେ ଭାରତ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ଅଦ୍ଵିତୀୟ ସୂର୍ଯ୍ୟ କଥାକାର ବାଗ୍ମୀ ପୁରୁଷ ମନୋଜ ଦାସଙ୍କ ଅବଦାନ ଇଂରାଜୀ ତଥା ଓଡ଼ିଆ ସାହିତ୍ୟ ପାଇଁ ଥିଲା ଅତୁଳନୀୟ । ‘ଅମୃତ ଫଳ’, ‘ଶେଷ ତାନ୍ତ୍ରିକର ସନ୍ଧାନରେ’, ‘ଆରଣ୍ୟକ’, ‘ଲକ୍ଷ୍ମୀର ଅଭିସାର’, ‘ଆବୁ ପୁରୁଷ’, ‘ଶେଷ ବସନ୍ତର ଚିଠି’, ‘ଅରଣ୍ୟ ଉଲ୍ଲାସ’ର ରଚୟତା ସହିତ ଅନେକ କାଳଜୟୀ ଓଡ଼ିଆ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପର ସ୍ରଷ୍ଟା ଥିଲେ ସେ ।

ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗାଁରେ ୧୯୩୪ ମସିହା ଫେବୃୟାରୀ ୨୭ ତାରିଖରେ ସେ ଜନ୍ମ ନେଇଥିଲେ । ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଥିଲା ଏବଂ ସେହି ସମୟରେ ମଧ୍ୟ ‘ଦିଗନ୍ତ’ ନାମକ ଏକ ପତ୍ରିକାର ସମ୍ପାଦନା ଆରମ୍ଭ କରିଥିଲେ ସେ । ପରବର୍ତ୍ତୀ ସମୟରେ ମନୋଜ ଦାସ ବାମପନ୍ଥୀ ଆନ୍ଦୋଳନରେ ଯୋଗ ଦେଇଥିଲେ ।

ମନୋଜ ଦାସଙ୍କ ବିୟୋଗରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଟ୍ଵିଟ୍ ମାଧ୍ୟମରେ ନିଜ ନିଜର ଶୋକ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *