ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢି ଚାଲିଛି ଏବଂ ଜଳବାୟୁ ପ୍ରଦୂଷଣ ମଧ୍ୟ । ଜଳବାୟୁ ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ରିପୋର୍ଟ ଅନୁସାରେ ୧୯୫୦ ମସିହା ପରଠାରୁ ଏଯାବତ୍ ବିଶ୍ଵରେ ୯ ବିଲିୟନ ଟନ୍ (୮୧୬ କିଲୋଗ୍ରାମ) ପ୍ଲାଷ୍ଟିକ ବ୍ୟବହାର କରିସାରିଲେଣି ଆମେମାନେ । ସେଥିମଧ୍ୟରୁ ମାତ୍ର ୯ ପ୍ରତିଶତ ହିଁ ରିସାଇକେଲ କରିହେଉଛି, ୧୨ ପ୍ରତିଶତ ଜଳି ପାଉଁଶ ହୋଇପାରୁଛି ହେଲେ ବଳକା ୭୯ ପ୍ରତିଶତ ପ୍ଲାଷ୍ଟିକ ନା ଜଳିପାରୁଛି ନା ହେଉପାରୁଛି ରି-ସାଇକେଲ । ତେବେ ବୈଜ୍ଞାନିକମାନେ ଏଭଳି ଏକ ଛତୁ ଖୋଜି ବାହାର କରିଛନ୍ତି, ଯାହା ପ୍ଳାଷ୍ଟିକ ଖାଇ ଜୈବିକ ପଦାର୍ଥ ତିଆରି କରୁଛି, ଅର୍ଥାତ ଭବିଷ୍ୟତରେ ପ୍ଲାଷ୍ଟିକ ଆବର୍ଜନାଠାରୁ ମୁକ୍ତି ମିଳିପାରିବାର ସମ୍ଭାବନା ଦେଖାଦେଇଛି ।
ମିଳିଥିବା ସୂଚନା ଅନୁସାରେ ଛତୁଟିର ନାଁ ପେଷ୍ଟାଲୋଟିୟୋ ମାଇକ୍ରୋସ୍ପୋରା । ଏହି ଛତୁ ପ୍ଲାଷ୍ଟିକ୍ ତିଆରି କରୁଥିବା ପଦାର୍ଥ ପଲିୟୁରିଥିନକୁ ଖାଇ ଜୈବିକ ପଦାର୍ଥରେ ପରିବର୍ତ୍ତିତ କରିଦେଇଥାଏ, ସେ ପୁଣି ପ୍ରାକୃତିକ ପ୍ରଣାଳୀରେ । ଏହିକାରଣରୁ ବୈଜ୍ଞାନିକମାନେ ଆଶା କରିଛନ୍ତି ଯେ ଭବିଷ୍ୟତରେ ପ୍ଳାଷ୍ଟିକ ବର୍ଜ୍ୟବସ୍ତୁରୁ ଏହି ଛତୁ ହିଁ ମୁକ୍ତି ଦେଇପାରେ । ହେଲେ ପରିବେଶବିତଙ୍କ କହିବାନୁସାରେ, ଯଦି ଏହି ଛତୁକୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଉପରେ ସୃଷ୍ଟି କରାଯାଏ ତେବେ କିଛି ସମୟ ପରେ ସେଠାରେ କେତେଗୁଡ଼ିଏ ଜୈବିକ ପଦାର୍ଥ ଜମା ହେବା ଦେଖାଯିବ । ଉକ୍ତ ଜୈବିକ ପଦାର୍ଥକୁ ଖତ ହିସାବରେ ବ୍ୟବହାର କରାଯାଇପାରିବ ।
ପରିବେଶବିତଙ୍କ କହିବା କଥା ଯେ ଏ ପ୍ରକାର ଛତୁ ଏକ ପ୍ରାକୃତିକ କମ୍ପୋଷ୍ଟ ଭାବରେ କାମ କରୁଛି । ଏହା ଆମ ପୃଥିବୀରୁ ବର୍ଜ୍ୟବସ୍ତୁ ସଫା କରିବାରେ ଖୁବ୍ ଏକ ବିରାଟ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଛତୁ ବା କବକର ଏକ ବିଶେଷତ୍ଵ ହେଉଛି ଏହା କନଷ୍ଟ୍ରକସନ୍ ମ୍ୟାଟେରିଆଲରୁ ଆରମ୍ଭ ହୋଇ ବାୟୋଫୁଏଲ୍ ପର୍ଯ୍ୟନ୍ତ ଉପଯୋଗରେ ଲାଗେ । ଏଥିପାଇଁ ଦୀର୍ଘ ବର୍ଷ ଧରି ବୈଜ୍ଞାନିକମାନେ ନିଜର ଗବେଷଣାରେ ଲାଗିଛନ୍ତି ।