ସାଲେପୁର ମାହାଙ୍ଗା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଛାତି ଥରି ଉଠିଲା ପରି ଏକ ଘଟଣା । ଦୀର୍ଘ ମାସେ ଧରି ଘର ଭିତରେ ଜଣେ ଷଷ୍ଠ ଶ୍ରେଣୀ ପଢୁଥିବା ଛାତ୍ରୀକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ମାହାଙ୍ଗା ଥାନାରେ । ପୀଡ଼ିତାଙ୍କ ବଡ଼ ଭଉଣୀ କରିଥିଲେ ଏ ଅଭିଯୋଗ, ଯାହାପରେ ପୋଲିସ ଏକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ମଧ୍ୟ ଅଟକ ରଖିଥିବା ନେଇ ଖବର ମିଳିଛି ।
ଘଟଣାଟି ଏହିପରି । ଷଷ୍ଠ ଶ୍ରେଣୀରେ ପଢୁଥିବା ନାବାଳିକା ଜଣଙ୍କ ତାଙ୍କ ମା’ଙ୍କ ସହିତ ଘରେ ରୁହନ୍ତି । ଦିନେ ମା’ଙ୍କ ଅନୁପସ୍ଥିତିରେ ୫ ଜଣ ଲୋକ ଘରେ ପଶି ଡରାଇ ଧମକାଇ ଜଣକ ପରେ ଜଣେ ତା ସହିତ ଦୁଷ୍କର୍ମ କରିଥିଲେ । ଏ ସମ୍ପର୍କରେ କାହାକୁ କହିଲେ ତାକୁ ଜୀବନରୁ ମାରିଦେବୁ ବୋଲି ଧମକ ବି ଦେଇଥିଲେ । ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ମାସେରୁ ଅଧିକ ସମୟ ଉକ୍ତ ନାବାଳିକାକୁ ତା’ରି ଘର ଭିତରେ ଗଣଦୁଷ୍କର୍ମ କରିଚାଲିଥିଲେ । ଏହାପରେ ପୀଡ଼ିତା ଏନେଇ ନିଜ ମା’କୁ ଜଣାଇଥିଲେ, ହେଲେ ମାଆ ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ଚୁପ୍ ରହିଲେ ।

ତେବେ ପୀଡ଼ିତା ଜଣକ ଉପାୟ ନପାଇ ବାଧ୍ୟ ହୋଇ ଘଟଣା ମମ୍ପର୍କରେ ନିଜ ବିବାହିତା ବଡ଼ ଭଉଣୀଙ୍କୁ ଫୋନ୍ କରି କହିଥିଲେ । ଏହାପରେ ରାଜ୍ୟ ବାହାରେ ରହୁଥିବା ପୀଡ଼ିତାଙ୍କ ବଡ଼ ଭଉଣୀ ଘରକୁ ଆସିଲେ ଏବଂ ମାହାଙ୍ଗା ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ ଦେଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହିତ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ମଧ୍ୟ ଆରମ୍ଭ କରିଦେଇଛି । ସେପଟେ ବାକି ଅଭିଯୁକମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ବି ଜାରି ରଖିଛି ବୋଲି ସୂଚନା ମିଳିଛି ।