କରୋନାର ଦ୍ଵିତୀୟ ତରଙ୍ଗର ଭୟବହତା ଦେଶ ସାରା ଦେଖିବାକୁ ମିଳୁଥିବା ବେଳେ ଅନେକ ମହତ କାମ କରୁଥିବା ବ୍ୟକ୍ତିମାନେ ମଧ୍ୟ ସାମ୍ନାକୁ ଆସୁଛନ୍ତି । ସେହିପରି ମୁମ୍ୱାଇର ଜଣେ ସ୍କୁଲ ଶିକ୍ଷକଙ୍କ ମହତ ଉଦ୍ୟମ ଦେଖିବାକୁ ମିଳିଛି । ପେଶାରେ ଶିକ୍ଷକତା କରୁଥିବା ଦତତ୍ରେୟ ସାୱନ୍ତ ପିପିଇ କିଟ୍ ପିନ୍ଧି, କରୋନାର ସମସ୍ତ ଗାଇଡ଼ଲାଇନ ମାନି, ସାବଧାନତା ଅବଲମ୍ୱନ କରି କୋଭିଡ୍ ରୋଗୀମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ନିଜ ଅଟୋରେ ବସାଇ ରୋଗୀଙ୍କୁ ମାଗଣାରେ ଘରୁ ହସ୍ପିଟାଲ ଏବଂ ହସ୍ପିଟାଲରୁ ଘରକୁ ନେବାଆଣିବା କରୁଛନ୍ତି ।
ମିଳିଥିବା ଖବର ଅନୁସାରେ ନ୍ୟୁଜ୍ ଏଜେନ୍ସି ANI କୁ ନିଜର ବୟାନ ଦେଇ ଉଦାରତାର ଜ୍ଵଳନ୍ତ ଉଦାହରଣ ଶିକ୍ଷକ ଦତ୍ତାତ୍ରୟ ସାୱନ୍ତ କହିଛନ୍ତି ଯେ ଯେତେଦିନ ଯାଏ ମୋ ଦେଶରେ ଏ କରୋନା ରହିବ ସେପର୍ଯ୍ୟନ୍ତ ମୋ ସେବା ଦେବା ଅବ୍ୟାହତ ରହିବ । ମୁଁ ରୋଗୀଙ୍କୁ ସେମାନଙ୍କ ଘରୁ ହସ୍ପିଟାଲକୁ ଏବଂ ହସ୍ପିଟାଲରୁ ତାଙ୍କ ଘରକୁ ମାଗଣାରେ ନେଇ ଛାଡ଼ି ଦେବି ।
ସୂଚନାଥାଉ ଯେ ଶିକ୍ଷକ ଦତ୍ତାତ୍ରୟ ମୁମ୍ୱାଇର ଉପନଗରୀୟ ଘାଟକୋପରରେ ରୁହନ୍ତି ଏବଂ ଜ୍ଞାନସାଗର ‘ବିଦ୍ୟା ମନ୍ଦିର’ ସ୍କୁଲରେ ଇଂରାଜୀ ପଢ଼ାନ୍ତି । ରାଜ୍ୟରେ ଦ୍ରୁତ ଗତିରେ କୋଭିଡ଼ ରୋଗୀଙ୍କ ସଂଖ୍ୟା ବଢୁଥିବା କାରଣରୁ ଗତ କିଛି ହେବ ସାୱନ୍ତ ବାବୁ ପୂର୍ବୋତ୍ତର ମୁମ୍ୱାଇରେ ନିଃଶୁଳ୍କ ଅଟୋ ସେବା ଦେଉଛନ୍ତି । ତେବେ ଏଯାବତ୍ ସେ ୨୬ ଜଣ କୋଭିଡ୍ ରୋଗୀଙ୍କୁ ମାଗଣାରେ ତାଙ୍କ ଅଟୋରେ ହସ୍ପିଟାଲ ଏବଂ ଘର ନେବାଆଣିବା କରିଛନ୍ତି ।