ଆଜି ୮ ଜିଲ୍ଲା ପାଇପାରନ୍ତି ତାତିରୁ ତ୍ରାହି, ମାତ୍ର ପାଣିପାଗ ବିଭାଗ ଜାରି କଲା ଅରେଞ୍ଜ ୱାର୍ଣ୍ଣିଂ

ସୋମବାର ଦିନ ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହାସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଏ ସମୟରେ ପବନର ବେଗ ରହିବ ଘଣ୍ଟା ପ୍ରତି ୫୦-୬୦ କିମି ବୋଲି ବି ସେ ସ୍ପଷ୍ଟ କରିଛନ୍ତି ।

ତେବେ ଉକ୍ତ ୮ ଟି ଜିଲ୍ଲାରେ କଚ୍ଚା ଘର ସମେତ କଦଳୀ ଗଛ ତଥା ଜମିରେ ଥିବା ଶସ୍ୟଗୁଡ଼ିକ କ୍ଷୟକ୍ଷତିର ସମ୍ମୁଖୀନ ହୋଇପାରନ୍ତି ବୋଲି ସତର୍କ ସୂଚନା ଦିଆଯାଇଛି । ସେହିପରି ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାଗୁଡ଼ିକରେ ମଧ୍ୟ କାଳବୈଶାଖୀର ପ୍ରଭାବ ଅନୁଭୂତ ହୋଇପାରେ । ମାତ୍ର ଏଠାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବ ।

ସେପଟେ ଏହି କାଳବୈଶାଖୀ ଯୋଗୁ ଆଗାମୀ ୩/ ୪ ଦିନ ରାଜ୍ୟରେ ପାଖାପାଖି ୩ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା କମିବ ଏବଂ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ମଧ୍ୟ ପୂର୍ବାନୁମାନ କରି କହିଛନ୍ତି ଯେ ଆସନ୍ତାକାଲି ସକାଳେ ଖରା ଓ ଉପରବେଳା ବର୍ଷା ହେଇପାରେ । ଆଭ୍ୟନ୍ତରୀଣରେ ତାତି ରହିବା ସହିତ ବଙ୍ଗୋପସାଗରରୁ ଉପକୂଳ ଆଡ଼କୁ ପବନ ବୋହିବ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ୪୦ ଡିଗ୍ରୀ ଟପିବ ।

Leave a Reply

Your email address will not be published. Required fields are marked *