ପ୍ରେମିକ ଦୁଆରେ ୫ ବର୍ଷର ପୁଅକୁ ଧରି ପ୍ରେମିକାର ଧାରଣା : ୧୭ ବର୍ଷରେ ଗର୍ଭବତୀ କରାଇ ପ୍ରେମିକ ହୋଇଥିଲେ ଫେରାର

ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡ଼ିଓ ଯେଉଁଥିରେ ଜଣେ ପ୍ରେମିକା ପ୍ରେମିକର ଘର ଆଗରେ ଧାରଣା ଦେଇ ବସିଛନ୍ତି । ଏ ଘଟଣା ସାମାନ୍ୟ ଭିନ୍ନ କାରଣ କେବଳ ପ୍ରେମିକା ନୁହେଁ ଧାରଣାରେ ସାମିଲ ହେଇଛନ୍ତି ତାଙ୍କର ୫ ବର୍ଷର କୁନି ପୁଅ । ତେବେ ଘଟଣାଟି ଘଟିଛି କୋଣାର୍କ ଥାନା ଅନ୍ତର୍ଗତ ଶିମିଳି ପଞ୍ଚାୟତ ସିରିପୁର ଗାଁରେ ।

ଘଟଣାଟି ଏହିପରି । ୭ ବର୍ଷ ପୂର୍ବେ ବିବାହର ପ୍ରଲୋଭନ ଦେଖାଇ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରାଇ ଫେରାର ହୋଇଯାଇ ଥିଲେ ପ୍ରେମିକ ଜଣକ । ଏହାପରେ ପୀଡ଼ିତା କୋଣାର୍କ ଥାନାରେ ଅଭିଯୋଗ କରିଥିଲେ ଏବଂ ମାମଲା କୋର୍ଟ ଯାଇଥିଲା । କୋର୍ଟ ନିର୍ଦ୍ଦେଶାନୁସାରେ ପୀଡ଼ିତାଙ୍କୁ “ପୁରୀ ନୀଳାଚଳ ନାରୀ ସେବା ସଦନ”ରେ ରଖାଯାଇଥିଲା ଯେଉଁଠାରେ ସେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ସେଠାରେ ୫ ବର୍ଷ ରହିଲା ପରେ ଯେତେବେଳେ ଜାଣିଲେ ଯେ ଫେରାର ପ୍ରେମିକ ତାଙ୍କର ଘରକୁ ଫେରିଛନ୍ତି, ସେ ଆସି ଶାଶୂଘରେ ପହଞ୍ଚିଥିଲେ ।

ପ୍ରତୀକାତ୍ମକ ଫଟୋ

ମିଳିଥିବା ସୂଚନାନୁଯାୟୀ, ସିରିପୁର ଗାଁର ମକରଧ୍ଵଜ ବିଶ୍ଵାଳଙ୍କ ବଡ଼ ପୁଅ ପ୍ରକାଶ ବିଶ୍ଵାଳ ସେହି ଗାଁର ଜଣେ ୧୬ ବର୍ଷୀୟା ନାବାଳିକାକୁ ପ୍ରେମ କରି ବିବାହ ପ୍ରଲୋଭନ ଦେଖାଇ ତା ସହିତ ରଖିଥିଲେ ଶାରିରୀକ ସମ୍ପର୍କ । ହେଲେ ଯେତେବେଳେ ନାବାଳିକା ଜଣକ ୬ ମାସର ଗର୍ଭବତୀ ହେଲେ ପ୍ରେମିକ ପ୍ରକାଶ ଖୁଆଡ଼େ ଫେରାର ହେଇଗଲେ । ଘଟଣାକ୍ରମେ କିନ୍ତୁ ଫେରାର ପ୍ରେମିକ ନିଜ ଘରକୁ ଫେରିବା କଥା ଜାଣି ଗତ ଅପ୍ରେଲ ୫ ରେ ପୀଡ଼ିତା ଘରକୁ ଫେରିଥିଲେ ।

ଏହାପରେ ନ୍ୟାୟ ପାଇବା ଆଶାରେ ପୀଡ଼ିତା ତାଙ୍କ ପ୍ରେମିକ ପ୍ରକାଶଙ୍କ ଘରକୁ ଯାଇଥିଲେ ହେଲେ ଶାଶୂଘର ଲୋକେ ତାଲା ପକାଇ କେଉଁଆଡେ ପଳାଇଥିଲେ । ବାଧ୍ୟ ହୋଇ ତାଲା ଭାଙ୍ଗି ଘରେ ପଶିଲେ ପୀଡ଼ିତା । ଦୀର୍ଘ ବର୍ଷ ନାରୀ ସେବା ସଦନରେ କାଟି ସାଙ୍ଗରେ ୫ ବର୍ଷର କୁନି ପୁଅକୁ ନେଇ ଅନେକ ଘାତ ପ୍ରତିଘାତ ପରେ ଏବେ ଅତି ଦୟନୀୟ ଅବସ୍ଥାରେ ଶାଶୂଘରେ ଯଦିଓ ଶାଶୂଘର ଲୋକେ ତାଙ୍କୁ ଗ୍ରହଣ କରିବାକୁ ନାରାଜ । ଏହାସହିତ ଶୁଣିବାକୁ ମିଳୁଛି ଯେ ଘର ବାହାରେ ତାଙ୍କୁ ଖାଇବାକୁ ଦେଉଛନ୍ତି, ଘରେ ସାଙ୍ଗରେ ନୁହେଁ ।

Leave a Reply

Your email address will not be published. Required fields are marked *