ବ୍ରହ୍ମପୁର : କରୋନା କବଳରୁ ଏବେ ଡାକ୍ତର ଏବଂ ନର୍ସ ବି ଛାଡ଼ ପାଇ ପାରୁନାହାନ୍ତି । ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କରୁ କରୁ ଏମ୍କେସିଜି ବଡ଼ ଡାକ୍ତରଖାନାର ୪ ଜଣ ଡାକ୍ତର ସମେତ ୮ ଜଣ ନର୍ସ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏ ଘଟଣା ବଡ଼ ଡାକ୍ତରଖାନାର ସବୁ କର୍ମଚାରୀଙ୍କ ମନରେ ଆତଙ୍କ ସୃଷ୍ଟି କରିଦେଇଛି ।
ସମ୍ପୃକ୍ତ ସଂକ୍ରମିତ ଡାକ୍ତର ଓ ନର୍ସଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଯାଇନାହିଁ । ତଥାପି ସମସ୍ତେ ଏକ ସ୍ଵତନ୍ତ୍ର ଗେଷ୍ଟହାଉସ୍ରେ ରହି ଚିକିତ୍ସିର ହେଉଛନ୍ତି ହେଲେ ଏନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ ।

ଗତ ୬ ଦିନ ତଳେ ପେଟ ଯନ୍ତ୍ରଣା ସମସ୍ୟା ନେଇ ବଡ଼ ଡାକ୍ତରଖାନା ଆସିଥିବା ଜଣେ ବ୍ୟକ୍ତିଙ୍କୁ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗସ୍ତ ଇତିହାସ କହୁଛି ଯେ ସେ ପ୍ରାୟ ୨ ମାସ ତଳୁ ସୁରତରୁ ଫେରି ସଙ୍ଗରୋଧରେ ରହିସାରିଥିଲେ । ତେଣୁ ଡାକ୍ତରମାନେ ତାଙ୍କ ଚିକିତ୍ସା ଆରମ୍ଭ କରିଦେଇଥିଲେ । ରୋଗୀ ଜଣଙ୍କୁ ଅସ୍ତ୍ରୋପଚାର ଆବଶ୍ୟକ ନଥିବାରୁ ଗୋଟିଏ ଦିନ ଡାକ୍ତରଖାନାରେ ରଖି ଇଂଜେକ୍ସନ୍ ଦେଇ ଛାଡ଼ି ଦିଆଯାଇଥିଲା ।
ପରେ କିନ୍ତୁ ଉକ୍ତ ବ୍ୟକ୍ତିଙ୍କର ସ୍ଵାବ୍ ପରୀକ୍ଷା କରଯାଇଥିଲା ଯେଉଁଥିରେ ସେ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା । ଏହାପରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଡାକ୍ତର ଓ ନର୍ସଙ୍କ ସ୍ଵାବ୍ ପରୀକ୍ଷା ପାଇଁ ପଠାଇ ଦିଆଗଲା । ଯେଉଁଥିରେ ଜଣେ ହାଉସ୍ ସର୍ଜନ୍, ୩ ଜଣ ପିଜି ଡାକ୍ତର ଏବଂ ୮ଜଣ ନର୍ସଙ୍କ ନମୁନାରେ କରୋନା ପଜିଟିଭ୍ ରିପୋର୍ଟ ଆସିଲା । ଆଶ୍ଚର୍ଯ୍ୟର କଥା ଯେ ଏହି ୧୨ ଜଣଙ୍କ ଠାରେ କରୋନାର କୌଣସି ପ୍ରକାର ଲକ୍ଷଣ ଦେଖା ଯାଉନାହିଁ ।