ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ଆଜି ୮୯ତମ ଜୟନ୍ତୀ । ଓଡ଼ିଶା ବିକାଶରେ ତାଙ୍କର ଅପୂରଣୀୟ ଯୋଗଦାନ ଓ ପିଲାଟିବେଳୁ ବୈପ୍ଳବିକ ମନୋଭାବ ତାଙ୍କୁ ଲୌହମାନବୀ ଭାବରେ ପରିଚିତ କରାଏ । ଛାତ୍ର ଜୀବନରୁ ହିଁ ସେ ଆରମ୍ଭ କରିଦେଇଥିଲେ ରାଜନୀତି ଏବଂ ସାହିତ୍ୟ ସାଧନା ।
୧୯୩୧ରେ କଟକ ଜିଲ୍ଲାର ପିଠାପୁରରେ ପଦ୍ମଭୂଷଣ ସାହିତ୍ୟିକ କାଳନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କ କୋଳମଣ୍ଡନ କରିଥିଲେ ନନ୍ଦିନୀ ଦେବୀ । ଜେଜେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲାବେଳେ ସ୍ଵାମୀ ଥିଲେ ରାଜନୀତିରେ । ନନ୍ଦିନୀ ଶତପଥୀଙ୍କ ସ୍ଵାମୀ ଦେବେନ୍ଦ୍ର ଶତପଥୀ ଦୁଇ ଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଗଣମାଧ୍ୟମ ତଥା ରାଜନୀତି କ୍ଷେତ୍ରରେ ବର୍ତ୍ତମାନ ଜଣେ ଅତି ଜଣାଶୁଣା ନାମ ତଥାଗତ ଶତପଥୀ ନନ୍ଦିନୀ ଶତପଥୀଙ୍କ ସାନ ପୁଅ ।

ନନ୍ଦିନୀ ୧୯୭୨-୧୯୭୩ ଏବଂ ୧୯୭୪-୧୯୭୬ ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦବୀରେ ଥିଲେ । ପ୍ରଥମେ ସେ ରେଭେନ୍ସା ମହାବିଦ୍ୟାଳୟ କୋଠା ଉପରୁ ଯୁନିଅନ ଜ୍ୟାକ ପତାକା କାଢି ସାହସର ମୂଳଦୁଆ ପକାଇଥିଲେ । ପରେ ପରେ ୧୯୫୧ରେ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇ କାରାବରଣ । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ଥିଲେ ନନ୍ଦିନୀ । ୧୯୬୨ ବେଳକୁ ରାଜ୍ୟସଭାକୁ ନିର୍ବାଚିତ ପ୍ରଥମେ ହୋଇ ସୂଚନା ବିଭାଗର ଉପମନ୍ତ୍ରୀ ପଦ ଓ ୧୯୬୮ ରେ ଆଉଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ସୂଚନା ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିଲେ ।
ନନ୍ଦିନୀ ଶତପଥୀ ଓଡ଼ିଆ ଭାଷାରେ ଜଣେ ଲେଖକ ଥିଲେ । ତାଙ୍କର କାର୍ଯ୍ୟ ଅନ୍ୟାନ୍ୟ ଭାଷାରେ ଅନୁବାଦିତ ଏବଂ ପ୍ରକାଶିତ ହୋଇଛି । ଓଡ଼ିଆ ସାହିତ୍ୟରେ ଅବଦାନ ପାଇଁ ସେ ୧୯୯୮ରେ ସାହିତ୍ୟ ଭାରତୀ ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କର ଶେଷ ପ୍ରମୁଖ ସାହିତ୍ୟିକ କାର୍ଯ୍ୟ ତସଲିମା ନାସିରିନଙ୍କ “ଲଜ୍ୟା”କୁ ଓଡିଆ ଭାଷାକୁ ଅନୁବାଦ ।