ଜମି ବିବାଦରୁ ମହାଭାରତ ; ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳି କରି ହତ୍ୟା

ସଂସ୍କାର : ଜମି ବିବାଦକୁ ନେଇ ଭାଇ ଭାଇ ମଧ୍ୟରେ ଗୁଳିକାଣ୍ଡ। ନିଜ ରକ୍ତର ଭାଇ ଆଉ ଜଣେ ଭାଇ ଉପରକୁ ଚଲାଇଲା ଗୁଳି। ମହାଭାରତରେ ଯେପରି କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା, ଠିକ ସେହିପରି ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିହାରର ନାଲନ୍ଦା ସ୍ଥିତ ରାଜଗିର ସବଡିଭିଜନ ଅନ୍ତର୍ଗତ ଛାବିଲାପୁର ପୋଲିସ ଷ୍ଟେସନ ଅଞ୍ଚଳରେ।

ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୬ ଜଣଙ୍କୁ ହତ୍ୟା କରାଯାଇଛି। ଅନ୍ୟପଟେ ଏହି ଗୁଳି ବିନିମୟରେ ତିନି ଜଣ ମଧ୍ୟ ଆହତ ହୋଇଛନ୍ତି। ମୋଟ୍ ୯ ଜଣଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଆଉ ଯେଉଁ ୬ ଜଣ ମୃତ୍ୟୁବରଣ କରିଛନ୍ତି, ସେମାନେ ସବୁ ଗୋଟିଏ ପରିବାରର ସଦସ୍ୟ ଥିଲେ। ଏହି ହୃଦୟ ବିଦାରକ ଘଟଣାର କାରଣକୁ ଏକ ଜମି ବିବାଦ ବୋଲି କୁହାଯାଉଛି | ଏହି ପ୍ରସଙ୍ଗରେ ପୋଲିସର ଅବହେଳା ମଧ୍ୟ ସାମ୍ନାକୁ ଆସୁଛି।

ଅନ୍ୟ ପକ୍ଷରେ ବିବାଦୀୟ ଜମି ଉପରେ କୌଣସି ପ୍ରକାର କାର୍ଯ୍ୟ କରିବାକୁ କୋର୍ଟ ମନା କରିଥିଲେ। ଏହା ସତ୍ତ୍ୱେ ଅଭିଯୁକ୍ତ ମହେନ୍ଦ୍ର ଯାଦବ ଏବଂ ରାଜେଶ୍ୱର ଯାଦବ, ତାଙ୍କ ପୁଅମାନଙ୍କ ସହିତ ଏକ ଟ୍ରାକ୍ଟରରେ ଜୋର ଜବରଦସ୍ତ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ।

ତେବେ ଏହି ଗୁଳି ବିନିମୟ ବିଷୟରେ ପୀଡିତାଙ୍କ ପରିବାର ପୋଲିସକୁ ସୂଚନା ଦେଇଥିଲେ, କିନ୍ତୁ ଏହା ପରେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା। ବର୍ତ୍ତମାନ ହତ୍ୟାକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କୁହାଯାଉଛି ଯେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ପ୍ରାୟ ୨୦୦ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଘଟଣା ପରେ ସମଗ୍ର ଗାଁକୁ ଏକ କ୍ୟାଣ୍ଟନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *