ସଂସ୍କାର : କରୋନା କାରଣରୁ ବିଶ୍ୱର ଶିକ୍ଷା ବ୍ୟବସ୍ଥା ଭୁଷିଡି ପଡିଛି। ଏଥିରୁ ବାଦ ପଡିନି ଓଡିଶା। କରୋନା କାରଣରୁ ଓଡ଼ିଶାର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ , କଲେଜ ବନ୍ଦ ରହିଥିଲା। ଆଉ ଏଠାରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ପାଠ ପଢିବାରୁ ବଂଚିତ ହୋଇଥିଲେ। ବିଶେଷ କରି ନବମ ଓ ଦଶମ ଛାତ୍ରଛାତ୍ରୀ ମାନେ ପାଠ ପଢା ଓ ସେମାନଙ୍କର ପରୀକ୍ଷାକୁ ନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କରୋନା ପାଇଁ ଗତ ବର୍ଷ ସ୍କୁଲ ମାନଙ୍କର ପରୀକ୍ଷା ବାତିଲ କରାଯାଇଥିଲା।
ଏହାପରେ ସ୍ଵତନ୍ତ୍ର ମୂଲ୍ୟାୟନ ପଦ୍ଧତିକୁ ଆପଣାଇ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶ କରାଗଲା। ତେବେ ଭବିଷ୍ୟତରେ ଯେପରି ଏଭଳି ଅସୁବିଧା ନ ହୁଏ, ତାକୁ ଲକ୍ଷ୍ୟରେ ରଖି ଏକ ନୂଆ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର। ବିଶେଷ କରି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ।
ତେବେ ନୂଆ ଯୋଜନା ଅନୁଯାୟୀ, ୨୦୨୧-୨୨ ଶିକ୍ଷାବର୍ଷ ୨୦୨୧ ମସିହାର ଜୁଲାଇ ମାସରୁ ଆରମ୍ଭ ହୋଇସାରିଛି ଓ ଏହା ଆସନ୍ତା ବର୍ଷ ଏପ୍ରିଲ ମାସରେ ଶେଷ ହେବ। ଅନ୍ୟପଟେ ଏହାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି। ପ୍ରଥମ ଟର୍ମ ଜୁଲାଇ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଓ ଦ୍ୱିତୀୟ ଟର୍ମ ଡିସେମ୍ବର ମାସରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଚାଲିବ। ପ୍ରତି ଟର୍ମରେ ପାଠ୍ୟକ୍ରମର ୫୦ ପ୍ରତିଶତ ସ୍କୁଲରେ ପଢ଼ାଯିବ। ଆଉ ତାହା ଅନୁସାରେ ପରୀକ୍ଷା ହେବ।
ପ୍ରତି ଟର୍ମର ଶେଷରେ ଏକ ପରୀକ୍ଷା କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ସିଧାସଳଖ ଏହି ପରୀକ୍ଷା କରାଇବ। ଆଉ ଏଥିପାଇଁ ପିଲାଙ୍କୁ ଅନଲାଇନ୍ ରେ ଫର୍ମପୁରଣ କରିବାକୁ ପଡିବ। ଗତବର୍ଷ ଭଳି ପିଲାଙ୍କ ପାଠ ପଢା ରୂପରେଖ କମ ରହିବ। ତେବେ ଏହି ପାଠ୍ୟକ୍ରମକୁ ନେଇ ବୋର୍ଡ ଖୁବଶୀଘ୍ର ଏକ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ଜଣାପଡିଛି।