କ୍ଷୀର ପ୍ୟାକେଟରୁ ଚାରାଗଛ; ଜାଣନ୍ତୁ ହେବ କେମିତି

ସସ୍କାର : ମହାମାରୀ କରୋନା ଭାଇରସ୍ ଯୋଗୁଁ ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ପାଠ ପଢ଼ୁଛନ୍ତି। ଆଉ ଏହି ଅନଲାଇନ ପାଠ ପଢ଼ାରେ ସାମିଲ ହୋଇଛନ୍ତି କୁନି କୁନି ପିଲାମାନେ। ବଳକା ସମୟରେ ଏହି କୁନି କୁନି ପିଲାମାନେ ନିଜର ଅନ୍ତର୍ନିହିତ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଏକ ସୁଯୋଗ ପାଉଛନ୍ତି। ଏହି ଅନଲାଇନ ପାଠ ପଢ଼ାରୁ ସାମାନ୍ୟ ମୁକ୍ତି ପାଇ ସବୁଜ ପରିବେଶ ଲାଗି ଚିନ୍ତା କରିଛନ୍ତି ରାଜସ୍ଥାନର ୧୭ ବର୍ଷୀୟ ନାବାଳିକା ନିଶା ପାଠକ। ପରିବେଶ ପାଇଁ ସେ ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଘରକୁ ପ୍ରସ୍ତୁତ କରି ଦେଉଛନ୍ତି ସବୁଜ ପ୍ୟାକେଟ୍। ବର୍ତ୍ତମାନ କ୍ଷୀର ପ୍ୟାକେଟରେ ନିଶା ଆଳୁ, ପିଆଜ ଏବଂ ଟମାଟର (ବିଲାତି ବାଇଗଣ) ଚାରା ବାଣ୍ଟୁଛନ୍ତି। ଆମେ ଦୈନନ୍ଦିନ ଖାଉଥିବା କ୍ଷୀର ପ୍ୟାକେଟ୍ ଏଣେତେଣେ ଫିଙ୍ଗିବା ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି। ଏହାକୁ ରୋକିବା ଲାଗି ସେ ଏହି ପ୍ୟାକେଟକୁ ଫିଙ୍ଗିବା ପରିବର୍ତ୍ତେ ସେଥିରୁ ଚାରା ଗଛ ଲଗାଇଥିଲେ।

ତେବେ ନିଶା ଏହି କାମ ଦ୍ୱାରା ନିଜର ପାଖ ପଡ଼ୋଶୀଙ୍କୁ ମଧ୍ୟ ସଚେତନ କରୁଛନ୍ତି। ନିଶାଙ୍କ କହିବା ଆନୁଯାୟୀ, ସେ କ୍ଷୀର ପ୍ୟାକେଟକୁ ଭଲଭାବେ ସଫା କରି ସେଥିରେ ଖତମିଶା ମାଟିକୁ ଭର୍ତ୍ତି କରୁଛନ୍ତି। ଏହାକୁ କିଛିଦିନ ରଖି ଅଳ୍ପ ଅଳ୍ପ ପାଣି ଛିଞ୍ଚି ତାହା ଦ୍ବାରା ଏହି ପ୍ୟାକେଟରେ ମେଥି, ସୋରିଷ କିମ୍ବା ଅନ୍ୟାନ୍ୟ ଚାରା ବୀଜ ଲଗାଇଥାନ୍ତି।

ଏହି କାମ ଅନ୍ୟମାନେ ମଧ୍ୟ କରି ପାରିବେ ବୋଲି ସେ କହିଛନ୍ତି। ନିଶା ଆହୁରି ବି କହିଛନ୍ତି ଯେ, ପ୍ରଥମେ କ୍ଷୀର ପ୍ୟାକେଟକୁ ଭଲଭାବେ ଧୋଇ ଶୁଖାଇ ରଖନ୍ତୁ। ଏଥିପାଇଁ ରାତିସାରା ମେଥି କିମ୍ବା ସୋରିଷ ଆଦି ମଞ୍ଜିକୁ ପାଣିରେ ଭିଜାଇ ରଖନ୍ତୁ। ମାଟିମିଶା ପ୍ୟାକେଟରେ ଗାତ ଖୋଳି ପାଣି ଯିବା ଲାଗି ବ୍ୟବସ୍ଥା କରାଯାଏ। ଏହାପରେ ଭିଜାଯାଇଥିବା ମଞ୍ଜିକୁ ମାଟିରେ ବୁଣି ଅଳ୍ପ ଜଳସେଚନ କରାଯାଇଥାଏ। ଏହି ପ୍ୟାକେଟକୁ ସିଧାସଳଖ ସୂର୍ୟ୍ୟକିରଣ ପଡୁନଥିବା ସ୍ଥାନରେ ରଖାଯାଇଥାଏ। ଏଭଳି କରିବା ଦ୍ୱାରା ବାସ୍ ୭ଦିନ ମଧ୍ୟରେ ପ୍ରସ୍ତୁତି ହୋଇଯିବ ଛୋଟ ଛୋଟ ଚାରା ଗଛ।

Leave a Reply

Your email address will not be published. Required fields are marked *