ସଂସ୍କାର : ଭିକ୍ଷୁକ ସାଜିଲେ ଶିକ୍ଷକ । ଦିନେ ପୁରୀ ବଡ଼ଦାଣ୍ଡରେ ବସି ମାଗୁଥିଲେ ଭିକ୍ଷା ଆଉ ଆଜି ହୋଇଯାଇଛନ୍ତି ଶିକ୍ଷକ। ଆଜ୍ଞା ହଁ, ଆମେ କହୁଛି ଶ୍ରୀଜିତ ପାଢ଼ୀଙ୍କ ବିଷୟରେ। ସେହି ଶ୍ରୀଜିତ ପାଢ଼ୀ, ଯିଏ ଦିନେ ନିଜର ସ୍ମରଣ ଶକ୍ତି ହରାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବଡ଼ଦାଣ୍ଡରେ ବସି ଭିକ୍ଷା ବୃତ୍ତି କରୁଥିଲେ। କିନ୍ତୁ ସେ ଆଜି ହୋଇଯାଇଛନ୍ତି ଜଣେ ଶିକ୍ଷକ। ଆଉ ତାଙ୍କର ନାହିଁ ସେ ଲମ୍ବା ଲମ୍ବା ଦାଢ଼ି ଆଉ ନାହିଁ ତାଙ୍କର ସେ ଦାରିଦ୍ର୍ୟତାର ଅବସ୍ଥା। ଆଜି ସେ ହୋଇଯାଇଛନ୍ତି ଏକ ଶିକ୍ଷକ। ସମସ୍ତଙ୍କ ନାମ ଜାଣିପାରୁଛନ୍ତି। ସମସ୍ତଙ୍କୁ ଚିହ୍ନି ମଧ୍ୟ ପାରୁଛନ୍ତି। ଶ୍ରୀଜିତ ବର୍ତ୍ତମାନ କଣାସ ନୀଳାଚଳ ସେବାଶ୍ରମରେ ପ୍ରତିଦିନ ସକାଳୁ ସେ ପିଲାମାନଙ୍କୁ ଖବରକାଗଜ ପ୍ରକାଶିତ ହେଉଥିବା ଖବର ବୁଝାଉଛନ୍ତି। ଏହା ସହ ପିଲାଙ୍କର ବହିର ପାଠ ମଧ୍ୟ ସେମାନଙ୍କୁ ପଢ଼ାଉଛନ୍ତି।
ତେବେ ଶ୍ରୀଜିତଙ୍କୁ ଭଲ କରାଇଥିବା ତାଙ୍କର ସାଙ୍ଗମାନେ ବର୍ତ୍ତମାନ କଣାସ ନୀଳାଚଳ ସେବାଶ୍ରମକୁ ଯାଇ ଶ୍ରୀଜିତଙ୍କୁ ଭେଟିଥିଲେ। ଆଉ ତାଙ୍କର ସମସ୍ତ ସାଙ୍ଗଙ୍କୁ ସେ ଚିହ୍ନି ପାରିଥିଲେ।
ତେବେ ଏଠାରେ ଆମେ କହିଦେବାକୁ ଚାହିଁବୁ ଯେ, ଶ୍ରୀଜିତ ପାଢ଼ୀ ପାଠ ପଢି ପଢି ଦିନେ ପାଗଳ ସାଜିଥିଲେ, ଆଉ ବଡ଼ଦାଣ୍ଡରେ ପାଗଳ ଅବସ୍ଥାରେ ହିଁ ଭିକ୍ଷାବୃତ୍ତି କରୁଥିଲେ। ମାତ୍ର ବର୍ଷକ ତଳେ ଶ୍ରୀଜିତଙ୍କ ଏହି ଅବସ୍ଥାର ଖବର ରାଜ୍ୟ ଗଣମାଧ୍ୟମରେ ପ୍ରକାଶ ହେବା ପରେ , ତାଙ୍କର ସାଙ୍ଗମାନେ କଟକ SCB ରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଆଉ ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି।