ସଂସ୍କାର : ଗୁରୁଗ୍ରାମରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ନିଜର ବୋହୂ ସମେତ ୪ଜଣ ଭଡ଼ାଟିଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ୫୦ ବର୍ଷୀୟ ବ୍ୟକ୍ତି। ଆଉ ହତ୍ୟା ପଛର କାରଣ ରହିଛି ଅନୈତିକ ବା ପାପ ସମ୍ପର୍କ।
ଘଟଣାକ୍ରମ ଏହା ଯେ, ଏହି ୫୦ ବର୍ଷୀୟ ବ୍ୟକ୍ତି ଜଣକ ଦିଲ୍ଲୀର ଗୁରୁଗ୍ରାମ ଅଞ୍ଚଳରେ ରୁହନ୍ତି। ଏହା ସହ ସେ ନିଜର ଏକ ଘର ଗୋଟିଏ ପରିବାରକୁ ଭଡା ଦେଇଥିଲେ। କିନ୍ତୁ ଘର ଭଡା ନେଇଥିବା ଲୋକ ଜଣକ ଏହି ୫୦ ବର୍ଷୀୟ ବ୍ୟକ୍ତିଙ୍କ ବୋହୂ ସହିତ ଅନୈତିକ ସଂପର୍କ ରଖିଥିଲେ। ବୋହୂର ଏହି କାଣ୍ଡ ବିଷୟରେ ଜାଣିବା ପରେ ଶଶୁର ନୃଶଂସ ହୋଇ ଏହି ହତ୍ୟାକାଣ୍ଡ ଘଟାଇଲେ। ଘର ମାଲିକ ଜଣଙ୍କ ତାଙ୍କ ବୋହୂ, ଭଡାଟିଆ, ଭଡାଟିଆର ସ୍ତ୍ରୀ ଓ ଜଣେ ପିଲାକୁ ବିଭତ୍ସ ଭାବରେ ହତ୍ୟା କରିଛନ୍ତି। ଘର ମାଲିକଙ୍କ ଆକ୍ରମଣରେ ଭଡାଟିଆର ଆଉ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଏହି ହତ୍ୟାକାଣ୍ଡ ପରେ ଘର ମାଲିକ ନିଜେ ଗୁରୁଗ୍ରାମ ରାଜେନ୍ଦ୍ର ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ହତ୍ୟାକାରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣା ସମ୍ପର୍କରେ ଡିସିପି କହିଛନ୍ତି ଯେ, ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅପର ପକ୍ଷରେ ଅନ୍ୟ ଜଣେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ଚାଲିଛି।