ସଂସ୍କାର : ଦିନକୁ ଦିନ ବଢ଼ିବାରେ ଲାଗିଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଟ୍ୱେଷ୍ଟି। ସୌମ୍ୟଙ୍କ ମୃତ୍ୟୁକୁ ଦୀର୍ଘ ୧ ମାସ ହୋଇଯାଇଥିଲେ ଶୁଦ୍ଧା ଅପରାଧୀକୁ ଧରିପାରିଲାନି ପୋଲିସ। ସେପଟେ ତଦନ୍ତ ଭାର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତରେ ରହିଛି। ଅନ୍ୟଅଟେ ସୌମ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏବେ ମଧ୍ୟ ସ୍ପଷ୍ଟ ଭାବରେ ଜଣାପଡୁନି। ଏପଟେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଛି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ। ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ବିବାଦରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଧରମପୁଅକୁ ଗିରଫ ହେବାରୁ ରକ୍ଷା କରୁଛନ୍ତି ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ। ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା , ଜଙ୍ଗଲ ମନ୍ତ୍ରୀଙ୍କ ଧରମପୁଅ ହୋଇଥିବା କାରଣରୁ ତଦନ୍ତ ବାଟବଣା ହେଉଛି ବୋଲି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର।
ଅଭିରାମ ରାଜ୍ୟର ଏକ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ମୋ ପୁଅକୁ ହତ୍ୟା କରାଯାଇଛି । ଡିଏଫ୍ଓ, ଜଙ୍ଗଲ ମନ୍ତ୍ରୀ ଆଉ ବିଦ୍ୟା ଭାରତୀ ଷଡ଼ଯନ୍ତ୍ର କରି ମିଳିମିଶି ମୋ ପୁଅ ସୌମ୍ୟକୁ ହତ୍ୟା କରିଛନ୍ତି। ମନ୍ତ୍ରୀଙ୍କର ୧୨ ବର୍ଷ ଧରି ବ୍ୟକ୍ତିଗତ ସଚିବ ରହିଥିବା ଦୀପ୍ତିରଞ୍ଜନ ବେହେରା, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଫୋନ କଲ୍ ଯାଞ୍ଚ କଲେ ସବୁ ସତକଥା ପଦାକୁ ଆସିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୩୦୨ ଦଫା ଓ ୧୨୦(ବି) ଦଫାର ମୂଲ୍ୟ କଣ ଏହା? ସମ୍ବିଧାନରେ ଏହି ଧାରର କଣ ଉଠିଯାଇଛି। ମୁଖ୍ୟମନ୍ତ୍ରୀ ଏହି କଥା ବୁଝନ୍ତୁ। ଜଙ୍ଗଲ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ଆଉ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାକୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।
ଅଭିରାମ ମହାପାତ୍ର ନିଜ ପୁଅର ମୃତ୍ୟୁକୁ ନେଇ ଉଠାଇଛନ୍ତି ଏକାଧିକ ପ୍ରଶ୍ନ। ଯେମିତିକି , ଘଟଣାସ୍ଥଳକୁ ଜିଲ୍ଳାପାଳ ଓ ତହସିଲଦାର ଯାଇଥିଲେ କାହିଁକି ? ୯୫ ପ୍ରତିଶତ ପୋଡିଯାଇଥିବା ସୌମ୍ୟଙ୍କ ମୁହଁରୁ କଥା ବାହାରିଲା କିପରି ? ଗୁରୁତର ଅବସ୍ଥାରେ ଚିକିତ୍ସା ନକରି ମୃତ୍ୟୁକାଳୀନ ଜମାନବନ୍ଦୀ ନେବାକୁ କିଏ କହିଥିଲା ? ହସ୍ପିଟାଲରେ ଡାକ୍ତରଙ୍କ ସାମ୍ନାରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା କଣ କରୁଥିଲେ ? ସୌମ୍ୟଙ୍କ ଜିଭ କଟାଯିବା ଅଭିଯୋଗ ତଦନ୍ତ ପରିସରଭୁକ୍ତ ହେଲାଣି କି ? ଏପରି ଅନେକ ପ୍ରଶ୍ନ କୋହଭରା କଣ୍ଠରେ ଉଠାଇଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ।
କିନ୍ତୁ କ୍ରାଇମବ୍ରାଞ୍ଚ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ଦାୟିତ୍ୱ ନେଇଥିବା ବେଳେ ଅନେକ ସତ କଥା ପଦାକୁ ଆସିଲାଣି। ମାତ୍ର କ୍ରାଇମବ୍ରାଞ୍ଚ ମନ୍ତ୍ରୀଙ୍କ ମାମଲାରେ ହସ୍ତକ୍ଷେପ କରିପାରିବ ନାହିଁ। ତେଣୁ ମନ୍ତ୍ରୀଙ୍କୁ ସିବିଆଇ ପଚରାଉଚରା କରୁ ବୋଲି ଦାବି କରିଛନ୍ତି ସୌମ୍ୟାଙ୍କ ବାପା। ତେବେ ସୌମ୍ୟଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗକୁ ଯାଉଛି, ସେତିକି ନୂଆ ନୂଆ ଚରିତ୍ର ଏବଂ ତଥ୍ୟ ସାମ୍ନାକୁ ଆସୁଛନ୍ତି। ଏଭଳି ଏକ ଅଡୁଆ ସୂତାରୁ ଖିଅ ବାହାର କରିବାରେ କ୍ରାଇମବାଞ୍ଚ କେତେ ସଫଳ ହେଉଛି ତାହା ଦେଖିବା ପାଇଁ ରାଜ୍ୟବାସୀ ଚାତକ ପରି ଅନାଇ ବସିଛନ୍ତି।