ସଂସ୍କାର : ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତା ହେଉଛନ୍ତି ତାରାପ୍ରସାଦ ବାହିନୀପତି। ତେବେ ତାରା ଓ ତାଙ୍କର ଧର୍ମପତ୍ନୀ ନିକଟରେ ରାଗିଯାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମୂର୍ଖ , ଗଧ ଓ ଅଯୋଗ୍ୟ ବୋଲି କହିଥିଲେ। ତେବେ ପିସିସି ସଭାପତିଙ୍କ ବିରୋଧରେ ବିଦ୍ରୋହ କରିଥିବା ବାହିନୀପତି ଦମ୍ପତିକୁ ଶକ୍ତ ଝଟ୍କା ଲାଗିଛି। ସେମାନଙ୍କୁ ସମବେଦନା ଓ ସମର୍ଥନ ତ’ ମିଳିବା ଦୂରର କଥା ଉପରସ୍ତରରୁ ମିଳିଛି ଖୋଲା ଚେତାବନୀ।
ଦଳର ଯେଉଁ ସଦସ୍ୟ ଦଳର କାର୍ଯ୍ୟରେ ଅସନ୍ତୁଷ୍ଟ ସେମାନେ ଦଳରୁ ବାହାରି ପାରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି ପିସିସି ପ୍ରଭାରୀ ଚେଲ୍ଲା କୁମାର। ଚେଲ୍ଲା କୁମାର କହିଛନ୍ତି ଯେ , ଦଳର ଯେଉଁ ସଦସ୍ୟ ଚାହିଁବେ ସେମାନେ ଦଳ ଛାଡ଼ିପାରିବେ । ତେବେ ଚେଲ୍ଲା କୁମାରଙ୍କ ଏହି ଏହି ମନ୍ତବ୍ୟ ପିସିସି ସଭାପତିଙ୍କ ପାଇଁ ଏକ ସୁରକ୍ଷା କବଚ ସାଜିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଚେଲ୍ଲା କୁମାର ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ କଂଗ୍ରେସ ଛାଡ଼ିବାକୁ ଚାହୁଁଛନ୍ତି ସେମାନେ ଦଳ ଛାଡି ଯାଇପାରିବେ। ସେଥିରେ ଆମର କିଛି ବି ଆପତ୍ତି ନାହିଁ। ଭୁବନେଶ୍ୱରରେ ପହଞ୍ଚିଥିବା ପିସିସି ପ୍ରଭାରୀ ଏଭଳି କଡ଼ା ମନ୍ତବ୍ୟ ରଖିଛନ୍ତି।
ଅନ୍ୟପଟେ ତାରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମନା କରିଛନ୍ତି ଚେଲ୍ଲା କୁମାର। କିଛି ଦିନ ତଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଉଗାରିଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନରମି ଯାଇଛନ୍ତି। ରାଗରେ ନିରଞ୍ଜନ ପଟ୍ଟନାୟକଙ୍କ ବିଷୟରେ ଏଣୁତେଣୁ କହି ଦେଇଥିବା କହିବା ସହ ସେ ତାଙ୍କର ବଡ଼ ଭାଇ ବୋଲି କହିଛନ୍ତି ତାରା। ତାରା କହିଛନ୍ତି ଯେ , ରାଗ କ’ଣ ସବୁ ବେଳେ ରହେ।
ଆମେ ରାଜନୀତିଆ ଲୋକ। ଆମେ ସବୁବେଳେ ରାଗିଲେ ଆମକୁ ଲୋକ ଗ୍ରହଣ କରିବେ କି? ପିସିସି ସଭାପତିଙ୍କୁ ଅଯୋଗ୍ୟ ବୋଲି ମୁଁ ରାଗରେ କହି ଦେଇଥିଲି। ଅଭିମାନ କରି ତାଙ୍କୁ ସେମିତି କହି ଦେଇଥିଲି। ନିରଞ୍ଜନ ବାବୁ ହେଉଛନ୍ତି ମୋ ବଡ଼ ଭାଇ। ମୁଁ ତାଙ୍କ ସାନ ଭାଇ। ତାଙ୍କ ନେତୃତ୍ୱରେ ଆମ ଦଳ ଆଗକୁ ଯିବ। ଗତକାଲି ଆମର (କଂଗ୍ରେସର) ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହିତ ମୁଁ ବହୁ ସମୟ ଧରି ଟେଲିଫୋନ୍ ଯୋଗେ ଆଲୋଚନା କରିଛି। ନିରଞ୍ଜନ ବାବୁଙ୍କ ସହିତ ବି ଆଜି ସକାଳେ ଫୋନ୍ରେ ବହୁ ସମୟ ଧରି ଆଲୋଚନା କରିଛି। ଆମ ମଧ୍ୟରେ ଥିବା ସବୁ ସମସ୍ୟାର ସମାଧାନ ହୋଇଯାଇଛି। ସେହିଭଳି ଦଳ ଛାଡ଼ିବେ ନାହିଁ ବୋଲି ତାରା ସ୍ପଷ୍ଟ କରି ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆଗରୁ କହିଛି, ଏବେ ବି କହୁଛି ଯେ କୌଣସି ପରିସ୍ଥିତିରେ ଦଳ ବଦଳାଇବି ନାହିଁ। କଂଗ୍ରେସ ଦଳ ଛାଡ଼ିବାର ନାହିଁ। ଯେଉଁମାନେ ପରିସ୍ଥିତିରେ ପଡ଼ି ବିଜେଡି କିମ୍ବା ବିଜେପିକୁ ଚାଲି ଯାଇଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ମଧ୍ୟ ମୋର। ମୁଁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି।’
ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ , କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରିଥିବା ପ୍ରେସମିଟକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଇ ନଥିବା ଘଟଣାରୁ ଆରମ୍ଭ ହୋଇଥିଲା ବିବାଦ। ସେଥିପାଇଁ ପିସିସି ସଭାପତିଙ୍କ ଉପରେ ଗର୍ଜିଥିଲେ ତାରାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହୀନିପତି। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ସେ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ତାରା ମଧ୍ୟ ପିସିସି ସଭାପତିଙ୍କୁ କଡ଼ା ସମାଲୋଚନା କରିଥିଲେ।