ଆଉ ୨ ଦିନ ପ୍ରବଳ ବର୍ଷା ; ପବନର ବେଗ ରହିବ ଘଣ୍ଟାପ୍ରତି ପ୍ରାୟ ୬୦ କିମି

ସଂସ୍କାର : ରାଜ୍ୟରେ ଘୂର୍ଣ୍ଣିବଳୟ କାରଣରୁ ତୁହାକୁ ତୁହା ବର୍ଷା ହେଉଛି। ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ବର୍ଷା ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ହେବ। କାରଣ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଘୂର୍ଣ୍ଣିବଳୟ ଉତ୍ତର ଓ ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି। ତେଣୁ ଏହାରି ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଛି।

ତେବେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ଲାଗି ରହିବ। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ। ଆସନ୍ତା ଦୁଇଦିନ ସମୁଦ୍ର ଅଶାନ୍ତ ରହିବା ସହିତ ଦକ୍ଷିଣ ଓ ଉପକୂଳ ଓଡିଶାରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ମାଲକାନଗିରି, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁର ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ହେବାର ସମ୍ଭାବନା ରହିଛି।

ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଅଛି।ତେବେ ଗୁରୁବାର ଠାରୁ ବର୍ଷା କମିବ । ତେବେ ୧୧ କିମ୍ବା ୧୨ ତାରିଖବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ଲଘୁଚାପ ହେଲେ ପୁଣି ବର୍ଷା ବଢ଼ିବ ।

Leave a Reply

Your email address will not be published. Required fields are marked *